ଜନ୍ମମାଟିରେ ପହଞ୍ଚି ସାରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର: ଜନ୍ମମାଟିରେ ପହଞ୍ଚି ସାରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁଣି ଶନିବାର ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ମୁର୍ମୁଙ୍କ ଗଁା ପାହାଡ଼ପୁରକୁ ଆସୁଛନ୍ତି। ଏହାଛଡ଼ା କେତେକ ପ୍ରକଳ୍ପ ଉଦ୍ଘାଟନ କରିବା ସହ ଭିତ୍ତିସ୍ଥାପନ କରିବେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ
ପରିଲକ୍ଷିତ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ପୂର୍ବାହ୍ଣ ୧୧ଟା ୧୫ ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ। ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଏହି ଗସ୍ତ ଆଦିବାସୀ ବହୁଳ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ରାଇରଙ୍ଗପୁର ତଥା ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ଏକ ସ୍ବର୍ଣ୍ଣିମ ଇତିହାସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଅପରାହ୍ଣରେ ମୟୁରଭଞ୍ଜ ମାଟିରେ ପାଦ ଥାପି ସାରିଥିବାବେଳେ ତାଙ୍କ ଗସ୍ତକୁ ନେଇ ଜନ୍ମମାଟିରେ ଉତ୍ସାହ ଦେଖାଦେଇଛି।
ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ସମୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ଏହି ଅବସରରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ସଂଯୋଗୀକରଣ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସଂଯୋଗୀକରଣରେ ଉନ୍ନତି ଆଣିବା, ଶକ୍ତି ସୁରକ୍ଷା ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଭୁକ୍ତିମୂଳକ ଏବଂ ସାମଗ୍ରିକ ବିକାଶ ଦୃଷ୍ଟିକୋଣକୁ ପ୍ରତିଫଳିତ କରି, ଏହି ପଦକ୍ଷେପଗୁଡ଼ିକ ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ସହିତ ରାଜ୍ୟର ପ୍ରତ୍ୟେକ କୋଣକୁ ବିକାଶର ଲାଭ ପହଞ୍ଚାଇବ।
ଶିଳାନ୍ୟାସ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୦୦ ମେଗା ୱାଟ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଆଇବି ଥର୍ମାଲ୍ ପାୱାର ଷ୍ଟେସନର ପର୍ଯ୍ୟାୟ-୨ ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବ। ଝାରସୁଗୁଡ଼ା ଜିଲାର ଲଖନପୁରରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ) ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହା ଘରୋଇ କୋଇଲା ସମ୍ପଦର ସ୍ବଚ୍ଛ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ଏବଂ ଏହି ଅଞ୍ଚଳରେ ନୂତନ ଶିଳ୍ପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ଥିବା ପ୍ରକଳ୍ପର ମଧ୍ୟରେ ଭୁବନେଶ୍ୱରରେ ଏକ ୩୦୦ଟିପିଡି ସୋର୍ସ- ସେଗ୍ରୀଗେଟେଡ଼ ମ୍ୟୁନିସପାଲ ସଲିଡ଼ ୱେଷ୍ଟ-ବେସଡ କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଏବଂ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ସଂଯୋଗ ପ୍ରଦାନ କରୁଥିବା କାଠଯୋଡ଼ି ନଦୀ ଉପରେ ଏକ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର-ହରଭଙ୍ଗା ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଏବଂ ନୂଆପଡ଼ାରୁ ଘଟୀପଡ଼ା ପର୍ଯ୍ୟନ୍ତ ଏନଏଚ-୩୫୩ର ଏକ ଅଂଶକୁ ୪ଲେନ କରିବା, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ରାଇରଙ୍ଗପୁରରେ ଇଣ୍ଡୋର ବ୍ୟାଡମିଣ୍ଟନ କମ୍ପେ୍ଲକ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ। ସେହିପରି ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟାଳୟ ହସ୍ପିଟାଲ କୋଠା, ୨୪ଟି ଅଟଳ ବସ୍ଷ୍ଟାଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଜିଲାରେ ୯ଟି ସ୍ୱୟଞ୍ଚାଳିତ ପରୀକ୍ଷଣ କେନ୍ଦ୍ର ସହିତ ଉଦ୍ଘାଟନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ସ୍ବାସ୍ଥ୍ୟସେବା ଏବଂ ସାଧାରଣ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଉଦ୍ଘାଟନ ହେବାକୁ ଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏନଏଚ-୫୭ରେ ନୟାଗଡ଼ ଟାଉନ ବାଇପାସ୍, କୁସୁମି ସ୍ମାର୍ଟ ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ୍ ଅଂଶ, ଜଖପୁରା-ଯାଜପୁର କେଉଁଝର ରାସ୍ତା-ବୈତରଣୀ ରାସ୍ତା ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ହିନ୍ଦୋଳ ରାସ୍ତା-ମେରାମଣ୍ଡାଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ, କ୍ରୀଡା କମ୍ପେ୍ଲକ୍ସ ଏବଂ ରାଇରଙ୍ଗପୁରରେ ଜନଜାତି ଗବେଷଣା କେନ୍ଦ୍ର ଅନ୍ତର୍ଭୁକ୍ତ।
