ସୁନା ଓ ରୁପା ଉପରେ ଆମଦାନି ଶୁଳ୍କ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି
ନୂଆଦିଲ୍ଲୀ: ସୁନା ଓ ରୁପା ଉପରେ ଆମଦାନି ଶୁଳ୍କ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଉଚ୍ଚ ଆମଦାନି ଶୁଳ୍କ ସତ୍ତ୍ୱେ ଦେଶକୁ ସୁନା ଆମଦାନି ହ୍ରାସ ପାଇନଥିବା ବେଳେ ବେଆଇନ କଳା ବଜାର ବୃଦ୍ଧି ପାଉଥିବାରୁ ସରକାର ଏହି ନୀତି ଉପରେ ପୁନଃବିଚାର କରୁଛନ୍ତି। ଜେମ୍ସ ଆଣ୍ଡ ଜୁଏଲେରୀ କାଉନସିଲର ଅଧ୍ୟକ୍ଷ ରାଜେଶ ରୋକଡେ କହିଛନ୍ତି ଯେ ଆମଦାନି ଶୁଳ୍କ ଅଧିକ ରହିବା ଦ୍ୱାରା ଦେଶକୁ ସୁନା ଆସିବା କମିବ ବୋଲି ଯାହା ଆଶା କରାଯାଉଥିଲା। ତାହା ହୋଇପାରିନାହିଁ। ବରଂ ଏହା ଦ୍ୱାରା ବେଆଇନ କାରବାର ଓ ଚୋରା ଚାଲାଣକୁ ପ୍ରୋତ୍ସାହନ ମିଳିଛି।
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ସମୟରେ ବୈଦେଶିକ ମୁଦ୍ରା ପାଣ୍ଠି ସୁରକ୍ଷିତ ରଖିବା ପାଇଁ ସରକାର ସୁନା ଓ ରୁପା ଉପରେ ଆମଦାନି ଶୁଳ୍କକୁ ୬ ପ୍ରତିଶତରୁ ବୃଦ୍ଧି କରି ୧୫ ପ୍ରତିଶତ କରିଥିଲେ। ତେବେ ଉଚ୍ଚ ଶୁଳ୍କ ସତ୍ତ୍ୱେ ଆର୍ଥିକ ବର୍ଷ ୨୦୨୬ରେ ଭାରତର ସୁନା ଆମଦାନି ମୂଲ୍ୟ ୨୪ ପ୍ରତିଶତ ବୃଦ୍ଧି ପାଇ ୭୧.୯ ବିଲିଅନ୍ ଡଲାରରେ ପହଞ୍ଚିଛି। ଚୀନ୍ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ବ୍ୟବହାରକାରୀ ଦେଶ ହୋଇଥିବାରୁ ସରକାର ଉପଯୁକ୍ତ ସମୟ ଦେଖି ଆମଦାନି ଶୁଳ୍କ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇପାରନ୍ତି।
