September 10, 2026

ହର୍ମୁଜ ପ୍ରଣାଳୀରେ ଅଚଳାବସ୍ଥା ଜାରି ରହିଥିବାରୁ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି

WhatsApp Image 2026-08-25 at 2.40.16 PM

ତେହରାନ : ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବନ୍ଦ ହେବାର ନା ଧରୁନି। ଏହି ସଂଘର୍ଷ ବିଶ୍ବରେ ସଙ୍କଟ ସୃଷ୍ଟି କରିଛି। ହର୍ମୁଜ ପ୍ରଣାଳୀରେ ଅଚଳାବସ୍ଥା ଜାରି ରହିଥିବାରୁ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏପରି ସମୟରେ ହର୍ମୁଜ ଦେଇ ଯାଉଥିବା ଜାହାଜରୁ ଇରାନ ଟିକସ ତଥା ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ଇରାନ ସଂସଦ ଏହାକୁ ମଞ୍ଜୁରୀ ଦେଇଛି। ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ଶୁଳ୍କ ବଦଳରେ ଜାହାଜକୁ ସାମୁଦ୍ରିକ ସେବା, ସୁରକ୍ଷା ଓ ବୀମା ଭଳି ସୁବିଧା ପ୍ରଦାନ କରାଯିବ। ଏହା ବ୍ୟତୀତ ପରିବେଶ ସମ୍ବନ୍ଧିତ ସେବା ଓ ବିଶେଷ ପରିସ୍ଥିତିରେ ଇନ୍ଧନ ଯୋଗାଇ ଦିଆଯିବ। ଏଥି ପାଇଁ ରିଆଲ କିମ୍ବା ଇରାନ ପସନ୍ଦର ଅନ୍ୟକୌଣସି ମୁଦ୍ରାରେ ଅର୍ଥ ପୈଠ କରିବାକୁ ପଡ଼ିବ। ଇରାନ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ଓ ବିଦେଶ ନୀତି କମିଟିର ପ୍ରବକ୍ତା ହସନ କାଶକଭି ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆମେରିକା ଅର୍ଥମନ୍ତ୍ରୀ ସ୍କଟ ବେସେଣ୍ଟ କହିଛନ୍ତି ଯେ ଇରାନ ବିରୋଧରେ ଆର୍ଥିକ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇରାନ ଆୟର ବଡ଼ ଉତ୍ସକୁ ବନ୍ଦ କରିବା ଆମେରିକା ପ୍ରଶାସନର ଉଦ୍ଦେଶ୍ୟ। ତେହରାନ ଉପରେ ଚାପ ପକାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସବୁ ସରକାରୀ ଏଜେନ୍ସି ଓ ଅଧିକାରୀଙ୍କୁ ବ୍ୟବହାର କରିବ। ପୂର୍ବରୁ ଟ୍ରମ୍ପ କୌଣସି ବିଦେଶ ରାଷ୍ଟ୍ର ବିରୋଧରେ ଏହାକୁ ସବୁଠାରୁ ବଡ଼ ଆର୍ଥିକ କାର୍ଯ୍ୟାନୁଷ୍ଠାନ କହିଥିଲେ। ଇରାନକୁ ଏକଘରିକିଆ କରିବା ପାଇଁ ଅନ୍ୟ ଦେଶଙ୍କୁ ଟ୍ରମ୍ପ ନିବେଦନ କରିଥିଲେ। ତେବେ ଏହାକୁ ନେଇ ଇରାନ ଉପସାଗରୀୟ ଦେଶଗୁଡ଼ିକୁ ଚେତାବନୀ ଦେଇଥିଲା। ଆମେରିକାକୁ ସହଯୋଗ କରୁଥିବା ଦେଶର ଆର୍ଥିକ କେନ୍ଦ୍ରକୁ ଆକ୍ରମଣ କରାଯିବ ବୋଲି ଇରାନର ନୂଆ ରାଷ୍ଟ୍ରୀୟ ସୁରକ୍ଷା ମୁଖ୍ୟ ମୋହସିନ ରେଜାଇ କହିଥିଲେ।

About The Author