ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା

parliament

ନୂଆଦିଲ୍ଲୀ: ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ଆସିଥିବା ୩ଟି ସମ୍ବିଧାନ ସଂଶୋଧନ ବିଲ୍‌ ଆଜି ଲୋକସଭାରେ କାଟ୍ ଖାଇଛି। ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବାରୁ ଏ ବାବଦ ବିଲ୍‌ ସଂସଦରେ ବିଫଳ ହୋଇଛି। ଆଜି ଲୋକସଭାରେ ଏହି ବିଲ୍‌ ଉପରେ ହୋଇଥିବା ଭୋଟ ଗ୍ରହଣରେ ୨୯୮ ଜଣ ସଦସ୍ୟ ସପକ୍ଷରେ ଭୋଟ ଦେଇଥିବା ବେଳେ ୨୩୦ ଜଣ ବିପକ୍ଷରେ ଭୋଟ ଦେଇଥିଲେ। ବିଲ୍ ପାରିତ ହେବା ପାଇଁ ଶାସକ ଏନଡିଏକୁ ୩୨୬ ଭୋଟ୍ ଦରକାର ଥିଲା। ସୀମା ନିର୍ଦ୍ଧାରଣ ପାଇଁ ଏକ ନୂତନ ଜନଗଣନାର ଆବଶ୍ୟକତାକୁ ଏଡ଼ାଇବା ପାଇଁ ଏହି ବିଲ୍ ଲକ୍ଷ୍ୟ ରଖିଥିବା ବେଳେ ଏହା ଭଣ୍ଡୁର ହୋଇଥିବାରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟାନ୍ବୟନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଲୋକସଭାରୁ ଏହି ବିଲ୍ ପ୍ରତ୍ୟାହାର କରିବା ପରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରଖାଯାଇଛି।

ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ଉପରେ ବିଚାର କରିବା ପାଇଁ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଚାଲିଥିବା ବେଳେ ମୁଖ୍ୟ ବିଲ୍‌ କାଟ୍‌ ଖାଇଥିବା ନେଇ ରାଜନୀତି ସରଗରମ ହୋଇଛି। ପ୍ରସ୍ତାବିତ ସଂଶୋଧନଗୁଡିକ ଦ୍ବାରା ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସଂରକ୍ଷଣ ଢାଞ୍ଚାକୁ କାର୍ଯ୍ୟକାରୀ କରିବା ପାଇଁ ଲୋକସଭାର ସଂଖ୍ୟାକୁ ୫୪୩ରୁ ୮୫୦ ଆସନକୁ ବୃଦ୍ଧି କରିବାକୁ ସରକାର ପ୍ରୟାସ କରିଥିଲେ।

ଏହି ଯୋଜନାର ଏକ ଅଂଶ ଭାବରେ, ୨୦୧୧ ଜନଗଣନାକୁ ଆଧାର କରି ସୀମା ନିର୍ଦ୍ଧାରଣ କରାଯିବାକୁ ସରକାର ବିଲ୍‌ ଆଣିଥିଲେ ଏବଂ ବିରୋଧୀ ଦଳମାନେ ଏହାକୁ ଜୋର୍‌ଦାର ବିରୋଧ କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ଲୋକସଭା ଭାଷଣରେ କହିଥିଲେ ଯେ, ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଆମେ ଆଉ ଦଶନ୍ଧି ଅପେକ୍ଷା କରିପାରିବା ନାହିଁ। ଜନଗଣନା ଏକ ସମୟସାପେକ୍ଷ ପ୍ରକ୍ରିୟା, ତେଣୁ ଏହାକୁ ବାଇପାସ୍ କରି ସୀମା ନିର୍ଦ୍ଧାରଣ କରିବା ଜରୁରୀ। ସେ ଅଭିଯୋଗ କରିଥିଲେ ଯେ ବିରୋଧୀ ଦଳଗୁଡ଼ିକ କେବଳ ବୈଷୟିକ କାରଣ ଦର୍ଶାଇ ନାରୀ ଶକ୍ତିର ବିକାଶକୁ ରୋକୁଛନ୍ତି। ଲୋକସଭାରେ ବିଲ୍‌ ଉପରେ ଭୋଟ୍ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ସାଂସଦମାନଙ୍କୁ ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ‘ମାତୃ ଶକ୍ତି’ ସପକ୍ଷରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଏହି ବିଲ୍ ଦେଶର ଭବିଷ୍ୟତ ବଦଳାଇ ଦେବ, ତେଣୁ ଏହାକୁ ସମର୍ଥନ କରିବା ଆବଶ୍ୟକ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ହାସଲରେ ବିଫଳ ହୋଇଛି। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସରକାରଙ୍କ ପ୍ରସ୍ତାବକୁ କଡ଼ା ବିରୋଧ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ ଜନଗଣନା ବିନା ସୀମା ନିର୍ଦ୍ଧାରଣ କରିବା ସାମ୍ବିଧାନିକ ନିୟମର ଉଲ୍ଲଂଘନ। ସରକାର ଜନଗଣନାକୁ ଏଡ଼ାଇ ନିଜ ପସନ୍ଦ ଅନୁଯାୟୀ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ କରିବାକୁ ଚାହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିଲ୍‌ରେ ପଛୁଆ ବର୍ଗର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ନଥିବାରୁ ବିରୋଧୀ ଦଳମାନେ ସରକାରକୁ ଘେରିଥିଲେ।

About The Author