September 10, 2026

ଅଗଷ୍ଟ ପାଲଟିଥିଲା ତାତିଲା କଡ଼େଇ: ବିଶ୍ୱ ତାପମାତ୍ରାରେ ୧.୬୫ ଡିଗ୍ରି ସେଲସିୟସ୍ ବୃଦ୍ଧି

cop

ବନ୍: ୟୁରୋପୀୟ ସଂଘର ଜଳବାୟୁ ଏଜେନ୍ସି କୋପର୍ନିକସ୍ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସବୁଠାରୁ ଗରମ ମାସ ମଧ୍ୟରୁ ଗୋଟିଏ ଥିଲା। ଅଗଷ୍ଟ ମାସର ତାପମାତ୍ରା ୨୦୨୩ ଜୁଲାଇ ସହିତ ତୁଳନୀୟ ଥିଲା। ଅଗଷ୍ଟ ମାସରେ ବିଶ୍ୱର ହାରାହାରି ତାପମାତ୍ରା ଶିଳ୍ପ ବିପ୍ଳବ ପୂର୍ବ ସମୟ ତୁଳନାରେ ୧.୬୫ ଡିଗ୍ରି ସେଲସିୟସ୍ ଅଧିକ ଥିଲା। ଏହା ଜଳବାୟୁ ପରିବର୍ତ୍ତନର ସବୁଠାରୁ ବିପଜ୍ଜନକ ପ୍ରଭାବକୁ ଏଡାଇବା ପାଇଁ ଦେଶଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ୧.୫ ଡିଗ୍ରି ସେଲସିୟସ୍ ସୀମାଠାରୁ ଅଧିକ। ତେବେ ମାତ୍ର ଗୋଟିଏ ମାସର ତାପମାତ୍ରା ୧.୫ ଡିଗ୍ରି ସେଲସିୟସ ଉପରେ ରହିବା ଅର୍ଥ ନୁହେଁ ଯେ ସୀମା ଅତିକ୍ରମ କରାଯାଇଛି। କିନ୍ତୁ ଏହା ତାପମାତ୍ରା ବୃଦ୍ଧିର ସମ୍ଭାବନାକୁ ସ୍ପଷ୍ଟ କରିଛି। ଜଳବାୟୁ ପରିବର୍ତ୍ତନ ଏବଂ ଏଲ୍ ନିନୋ ଉଭୟକୁ ଏହି ଉଷ୍ଣତାରେ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଉଛି। ଏଲ୍ ନିନୋ ପ୍ରଶାନ୍ତ ମହାସାଗରରେ ଏକ ପ୍ରାକୃତିକ ଘଟଣା ଯାହା ପୂର୍ବ ପ୍ରଶାନ୍ତ ମହାସାଗରର ଜଳକୁ ସ୍ୱାଭାବିକ ଅପେକ୍ଷା ଅଧିକ ଉଷ୍ମ କରିଥାଏ। ଏହା ସମୁଦ୍ରରେ ସଂରକ୍ଷିତ ତାପକୁ ବାୟୁମଣ୍ଡଳରେ ଛାଡିଥାଏ, ଯାହା ପ୍ରାୟ ଗୋଟିଏ ବର୍ଷ ପାଇଁ ବିଶ୍ୱ ତାପମାତ୍ରା ବୃଦ୍ଧି କରିବାର ସମ୍ଭାବନା ଥାଏ।
କୋପରନିକସ୍ ବୈଜ୍ଞାନିକଙ୍କ ମତରେ, ବର୍ତ୍ତମାନର ଏଲ୍ ନିନୋ ଆହୁରି ଶକ୍ତିଶାଳୀ ହେଉଛି। ଏହା ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ହୋଇପାରେ। ଆଗାମୀ ବର୍ଷ ମଧ୍ୟରେ ବିଶ୍ୱ ତାପମାତ୍ରା ଉପରେ ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିପାରେ। ଫଳସ୍ୱରୂପ, ନୂଆ ତାପମାତ୍ରା ରେକର୍ଡ ସ୍ଥାପନ ହୋଇପାରେ। ପଶ୍ଚିମ ୟୁରୋପରେ ମଧ୍ୟ ଅଗଷ୍ଟ ମାସରେ ରେକର୍ଡ ହୋଇଥିବା ସବୁଠାରୁ ଗରମ ଗ୍ରୀଷ୍ମ ଋତୁ ଅନୁଭୂତ ହୋଇଥିଲା। ୧୮୮୪ ମସିହାରେ ରେକର୍ଡ ଆରମ୍ଭ ହେବା ପରଠାରୁ ବ୍ରିଟେନରେ ଏହା ସବୁଠାରୁ ଗରମ ଗ୍ରୀଷ୍ମ ଥିଲା। ୟୁକେ ପାଣିପାଗ କାର୍ଯ୍ୟାଳୟ ଅନୁଯାୟୀ, ମାନବଜାତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ୧୩୦ ଗୁଣା ବୃଦ୍ଧି ପାଇଛି। ଗ୍ରୀଷ୍ମ ପ୍ରବାହ ଲୋକଙ୍କ ସାଧାରଣ ଜୀବନଯାତ୍ରାକୁ ବ୍ୟହତ କରିଛି। ସ୍କୁଲ କାର୍ଯ୍ୟରେ ବାଧା ସୃଷ୍ଟି କରିଛି, ହସ୍ପିଟାଲ ଉପରେ ଚାପ ବୃଦ୍ଧି କରିଛି, କୃଷିକୁ କ୍ଷତି ପହଞ୍ଚାଇଛି ଏବଂ ଅଗ୍ନିକାଣ୍ଡ ତଥା ମରୁଡ଼ିର ଘଟଣା ବୃଦ୍ଧି ପାଇଛି।

About The Author