September 10, 2026

ନିର୍ଦ୍ଧାରିତ ଯୋଗ୍ୟତା ନଥିବା ଶିକ୍ଷକ ଚାକିରିରେ ରହିପାରିବେନି

WhatsApp Image 2026-09-07 at 5.28.51 PM

ନୂଆଦିଲ୍ଲୀ: ଦେଶର ସ୍କୁଲ ଓ କଲେଜଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଜାରି କରିଛନ୍ତିପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଆସାମର କେତେକ ସ୍କୁଲ ଓ କଲେଜଗୁଡ଼ିକରେ ପ୍ରାଦେଶିକୀକରଣ (ପ୍ରୋଭିନ୍ସିଆଲାଇଜେସନ୍) ଯୋଜନା ଅଧୀନରେ ଶିକ୍ଷକ ନିଯୁକ୍ତି କରିବା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହୋଇଥିବା ଜନସ୍ବାର୍ଥ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏ ବାବଦ ନିଯୁକ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଅଦାଲତ କେନ୍ଦ୍ର ସରକାର, ଆସାମ ସରକାର, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ସମେତ ସମ୍ପୃକ୍ତ ଆୟୁକ୍ତ ତଥା ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମାବଳୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଥମିକତା ଦେବା ସହ ନିର୍ଦ୍ଧାରିତ ଆଇନଗତ ଢାଞ୍ଚା ବାହାରେ ହେଉଥିବା ନିଯୁକ୍ତି ଉପରେ କୋର୍ଟ ଅଙ୍କୁଶ ଲଗାଇଛନ୍ତି। ଖଣ୍ଡପୀଠ ଆଜି ଏ ସଂକ୍ରାନ୍ତରେ ନୋଟିସ୍ ଜାରି କରିବା ସହ ସ୍ୱଚ୍ଛ, ନିରପେକ୍ଷ ଏବଂ ପ୍ରତିଯୋଗିତାମୂଳକ ନିଯୁକ୍ତି ପ୍ରକ୍ରିୟାରେ ହିଁ ଶିକ୍ଷକମାନଙ୍କୁ ସରକାରୀ ସେବାରେ ସାମିଲ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ଉପଯୁକ୍ତ ପ୍ରକ୍ରିୟା ଅବଲମ୍ବନ ନକରି ଶିକ୍ଷକ ନିଯୁକ୍ତି କରାଯାଇଥିବାରୁ ଖଣ୍ଡପୀଠ ଏହାର ସାମ୍ବିଧାନିକ ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ଚିତ କରିବା ସହ କେବଳ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀମାନେ ଯେଭଳି ନିଯୁକ୍ତି ପାଇପାରିବେ ତାହା ଉପରେ ସୁପ୍ରିମ୍‌କୋର୍ଟ ବିଶେଷ ଗୁରୁତ୍ବାରୋପ କରିଛନ୍ତି।

About The Author