ଗୋଟିଏ ‌କୂଅ ଝୁଲି ରହୁଛି ୨୦ ରୁ ୨୨ ଅଧ ଅଶ୍ବ କ୍ଷମତା ବିଶିଷ୍ଟ ପମ୍ପ୍

WhatsApp Image 2026-06-16 at 4.45.26 PM

କାଳିଆପାଣି: ଗୋଟିଏ ପମ୍ପ୍‌ରୁ ୩ ରୁ ୫ ପରିବାର ଭାଗହୋଇ ଚଳିଥାନ୍ତି। ମାସିକ ଶହେ ଟଙ୍କା ହିସାବରେ ବିଦ୍ୟୁତ୍‌ ବିଲ ପୈଠ କରିଥାନ୍ତି। ଏହିପରି ଏହା ଏବେ ୭୦ରୁ ଅଧିକ ପରିବାରର ଶୋଷ ମେଣ୍ଟାଉଛି। ୬୧ ବର୍ଷ ଧରି ସାଧାରଣ ବସ୍ତି ବାସିନ୍ଦାଙ୍କ ପାଇଁ ଏହା ଜୀବନ ରେଖା ପାଲଟିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସତ୍ତ୍ବେ କୂଅରେ ଏବେ ୫ ଫୁଟ ଗଭୀରରେ ପାଣି ରହିଛି। ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଘନ ଜନତି ଥିବା ୬ ଓ ୭ ନମ୍ବର ୱାର୍ଡ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ପଞ୍ଚାୟତର ଏହି ଗଭୀରତମ କୂଅ ଲୋକଙ୍କ ପାଇଁ ଭରସାଯୋଗ୍ୟ ହୋଇରହିଛି।

ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା(ଟିଏସ୍‌ଆର୍‌ଡିଏସ୍), ସୁକିନ୍ଦା ଶାଖା ପକ୍ଷରୁ ଖୋଳା ଯାଇଥିବା ଏହି କୂଅର ଜଳସ୍ତର ବର୍ଷକୁ ବର୍ଷ କମୁଥିବାରୁ ପ୍ରତି ୫ ରୁ ୭ ବର୍ଷରେ ଏହାର ପୁନରୁଦ୍ଧାର ଆବଶ୍ୟକ ପଡ଼ିଥାଏ। ୨୦୧୯ ମସିହା ଏପ୍ରିଲ ମାସରେ ଏହି କୂଅର ଜଳସ୍ତର ଶୁଖିଯିବା ଅବସ୍ଥାକୁ ଆସି ଯାଇଥିଲା। ବସ୍ତିବାସିନ୍ଦାଙ୍କ ପକ୍ଷରୁ ସେକ୍‌ ଆମିରୁଦ୍ଦିନ, ଜଗତଜୀବନ ରାମ ହେମ୍ବ୍ରମ, ରାମ ପ୍ରସାଦ ମୁର୍ମୁ, ସନାତନ ପିଙ୍ଗୁଆ, ସଞ୍ଜୟ ନାଏକ, କାଳନ୍ଦୀ କାରୁଆ, ମନୋଜ କାରୁଆ, ଶମ୍ଭୁନାଥ ପ୍ରଧାନ, ପପୁସିଂ ଲିଙ୍ଗଦେନ, କୃଷ୍ଣଚନ୍ଦ୍ର ସାହୁ, ସୁଶାନ୍ତ ସେନାପତି, କୁଳମଣି ସିଂହ, ଦାଶରଥି ଟୁଡ଼ୁ, କାଳନ୍ଦୀ ସୋରେନ, ଘନଶ୍ୟାମ କେରାଇ ପ୍ରମୁଖଙ୍କ ଉଦ୍ୟମରେ ପଙ୍କ ଉଦ୍ଧାର, ଖନନ ଓ ପୁନରୁଦ୍ଧାର କରାଯାଇଥିଲା। ୨୦୧୨ ମସିହାରେ ବସ୍ତିର ମହିଳା ଶିଙ୍ଗ ମାଝୀ ଅସାବଧାନତାରୁ ଏହି କୂଅରେ ଖସି ପଡ଼ିଥିଲେ। ୨ ଦିନ ପରେ କୂଅରୁ ତାଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା। ସେତେବେଳେ କୂଅ ପାଣି ଶୁଖାଯିବା ସହ ବି‌ଶୋଧନ କରାଯାଇଥିଲା। ପୂର୍ବରୁ ଟିଏସ୍‌ଆର୍‌ଡିଏସ୍ ପୂର୍ବରୁ ନିୟମିତ ବର୍ଷାଦିନେ ଏହି କୂଅକୁ ବିଶୋଧନ କରାଯାଇଥାଏ।

ଟିଏସ୍‌ଆର୍‌ଡିଏସ୍ର ପାରିପାର୍ଶ୍ବିକ ଉନ୍ନୟନ ସେବା ବନ୍ଦ୍ ହେବା ପରେ ବସ୍ତିବାସିନ୍ଦା ନିଜସ୍ବ ଉଦ୍ୟମରେ କୂଅ ଓ ପରିସର ସଫେଇ କରିଆସୁଛନ୍ତି। ବିଦ୍ୟୁତ୍ ସରବରାହ ବ୍ୟାଘାତ ହେଲେ ପାର୍ଶ୍ବସ୍ଥ ନଳକୂଅରୁ ପାଣି ସଂଗ୍ରହ କରିବାକୁ ପଡ଼େ। ତେବେ ଆରମ୍ଭରୁ ଏହି କୂଅ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ଦୃଷ୍ଟି ଆଢ଼ୁଆଳ‌ରେ ରହି ଆସିଥିବା ଅଭିଯୋଗ ହୁଏ।

ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପରୁ ବିଶୋଧିତ ପାଣି ଯୋଗାଣରେ ଅନିୟମିତତା ଦେଖା ଦେଉଥିବାରୁ ପୂର୍ବବତ୍ ଏହ କୂଅ ଆମକୁ ବଞ୍ଚାଇ ରଖିବା ସହ ଆମ ଭିତରେ ଏକତା ଓ ଭାଇଚାରା ଅତୁଟ ରଖିଆସିଛି ବୋଲି ବସ୍ତିବାସିନ୍ଦାଙ୍କ ପକ୍ଷରୁ ରାଧା ସେନାପତି, ରୁକ୍ମଣୀ ମୁର୍ମୁ, ନାସିରୁନ୍ ବେଗମ, ଅନୁପମା ମାରାଣ୍ଡି, ତୁଳସୀ ଗୁଇଆ, ସାରଥୀ ହେମ୍ବ୍ରମ, ବାସନ୍ତୀ କାରୁଆ, ଭାରତୀ ସିଂ ଲିଙ୍ଗଦେନ, ମନ୍ଦାକିନୀ ପ୍ରଧାନ, ଭାରତୀ ସୋରେନ, ସୁକାନ୍ତି କେରାଇ, ପାନ ଟୁଡ଼ୁ, ହୀରାମଣି ସାମନ୍ତ, ସୁମିତ୍ରା ନାଏକ, ଲକ୍ଷ୍ମୀ କାରୁଆ କହନ୍ତି। ଏହି କୂଅ ପରିସର ମରାମତି ଓ କଂକ୍ରିଟ୍‌ କରାଯାଇ ବ୍ୟବସ୍ଥିତ କରାଇବାକୁ ସାଧାରଣରେ ଦାବି ହୋଇଛି। ଏହି କୂଅ ୨ ୱାର୍ଡବାସୀଙ୍କ ପାଣି ସମସ୍ୟା ମେଣ୍ଟାଇ ଆସିଥିବା ସ୍ବୀକାରକରି ଯଥାଶୀଘ୍ର ଲୋକଙ୍କ ଦାବି ଓ ସମସ୍ୟାର ସ୍ଥାୟୀ ସମାଧାନ ଉଦ୍ୟମ କରିବେ ବୋଲି ସରପଞ୍ଚ କନକଲତା ସର୍ଦ୍ଦାର କହିଛନ୍ତି।

About The Author