ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ
ବରଗଡ଼: ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟା ଅସମାହିତ ରହିଛି। ମଣ୍ଡିକୁ ଧାନ ଆସୁଛି। ମାତ୍ର ତାକୁ କିଣାଯାଉ ନାହିଁ। ମିଲର୍ସ ପହଞ୍ଚିଲେ ଏବଂ କଟ୍ନୀଛଟ୍ନୀରେ ଚାଷୀ ରାଜି ହେଲେ ଯାଇ ସେହି ଧାନକୁ କିଣାଯାଉଛି। କଟ୍ନୀଛଟନୀରେ ଚାଷୀ ସହମତି ପ୍ରକାଶ ନ କଲେ ସେହି ଧାନ ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହୁଛି। କେବଳ ସେତିକି ନୁହେଁ, ବେପାରୀ(ମଧ୍ୟସ୍ଥ) ମାଧ୍ୟମରେ ଆସିଥିବା ଧାନକୁ ତତ୍କାଳ କିଣାଯାଇ ମଣ୍ଡିରୁ ଉଠାଯାଉଛି କିମ୍ବା ସେଭଳି ଧାନ ମଣ୍ଡିକୁ ଆସିବା ବଦଳରେ ସିଧାସଳଖ ବିଭିନ୍ନ ରାଇସ୍ ମିଲ୍କୁ ଯାଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ସେହିପରି ଛତିଶଗଡ଼ରୁ ଆସୁଥିବା ଧାନ ମଧ୍ୟ ରାତାରାତି ବିଭିନ୍ନ ରାଇସ୍ ମିଲ୍କୁ ପ୍ରବେଶ କରୁଛି ଏବଂ ସେଭଳି ଧାନକୁ ପରବର୍ତ୍ତୀ ସମୟରେ ମଣ୍ଡି କାଗଜାତ୍ରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି।
ଏଭଳି ସ୍ଥିତିରେ ଟୋକନ କଟକଣା ଚାଷୀଙ୍କ ପାଇଁ ବଡ଼ ସମସ୍ୟା ହୋଇପଡ଼ିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ଧାନ ବିକ୍ରିବଟାରେ ଟୋକନ କଟକଣାକୁ ନେଇ ତୁମ୍ବିତୋଫାନ କରୁଥିଲା। ମାତ୍ର ଶାସନର ୨ବର୍ଷ ବିତିଯିବା ପରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟାରେ ବିଜେଡି ଶାସନରେ ଲାଗୁ ହୋଇଥିବା ଟୋକନ ବ୍ୟବସ୍ଥା ବଳବତ୍ତର ରହିଛି। ତେବେ ଟୋକନ ବ୍ୟବସ୍ଥା ସରଳ ହେବା ବଦଳରେ ପୂର୍ବ ସରକାରଠାରୁ ଆହୁରି ଜଟିଳ ହୋଇ ପଡ଼ିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଅନ୍ୟପଟେ କେତେକ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟୋକନ ମିଳିଥିଲେ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଭଳି ସେଥିରେ ମଧ୍ୟ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍ ରହିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଥିବାବେଳେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକି ବସିଛି।
ସାମଗ୍ରିକଭାବେ ଅନୁଧ୍ୟାନ କଲେ ବିଗତବର୍ଷ ଅପେକ୍ଷା ଏଥର ଧାନ ସଂଗ୍ରହ ପ୍ରକ୍ରିୟା ଫେଲ୍ ମାରିଛି। ଚଳିତ ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ରାଜ୍ୟରେ ୩ଲକ୍ଷ ୮୨ହଜାର ୨୦୭ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା(ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ) ୩ଲକ୍ଷ ୬୪ହଜାର ୫୩୦ଜଣ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିଛି। ରାଜ୍ୟର ଆହୁରି ୧୭ହଜାର ୬୭୭ଜଣ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାର ନ ଥିବାରୁ ସେମାନେ ଧାନବିକ୍ରିରୁ ବଞ୍ଚିତ ରହିଛନ୍ତି। ତେବେ ଏଥିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା ଚାଷୀଙ୍କ ସମସ୍ୟା ସର୍ବାଧିକ। ରବିଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ୧ଲକ୍ଷ ୫ହଜାର ୪୯୧ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯୯ହଜାର ୬୦୨ଜଣ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିଛି। ବାକି ୫୮୮୯ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରି ନାହିଁ। ଫଳରେ ସେମାନେ ଅମଳ ଧାନ ବିକ୍ରି କରିପାରି ନାହାନ୍ତି। କ୍ଷେତ, ଖଳା ଏବଂ ରାସ୍ତାପାର୍ଶ୍ୱରେ ସେହି ଧାନ ପଡ଼ି ରହିଛି। ଅନ୍ୟପଟେ ତୁହାକୁ ତୁହା ବର୍ଷା ମାଡ଼ି ଆସୁଥିବାରୁ ଚାଷୀଙ୍କ ଧାନ ବିକ୍ରି ଚିନ୍ତା ବଢ଼ି ଯାଇଛି। ସେହିପରି ରବିଧାନ ବିକ୍ରି କରି ପାରି ନ ଥିବାରୁ ଖରିଫ୍ ଚାଷକାର୍ଯ୍ୟ ପାଇଁ ମଧ୍ୟ ଚାଷୀମାନେ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି। ଟୋକନ ସମସ୍ୟା ସହିତ ମିଲର୍ସଙ୍କ ନିୟନ୍ତ୍ରଣରେ ପ୍ରଶାସନ ରହିଥିବାରୁ ଜିଲାରେ ଧାନ ବିକ୍ରିବଟା ଏଥର ଏଭଳି ଜଟିଳ ହୋଇ ପଡ଼ିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଗତବର୍ଷ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ୯୦ହଜାର ପଞ୍ଜୀକୃତ ଚାଷୀଙ୍କଠାରୁ ୬୨ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିଲା। ଏହି ଦୃଷ୍ଟିରୁ ସେତେବେଳେ ଚାଷୀ ପ୍ରତି ହାରାହାରି ୬୮.୪୬ କୁଇଣ୍ଟାଲ ଧାନ ବିକିଥିଲେ। କିନ୍ତୁ ଏ ଏପର୍ଯ୍ୟନ୍ତ ଜିଲାର ୬୯ହଜାର ୬୦୮ଜଣ ଚାଷୀଙ୍କଠାରୁ ୩୭ଲକ୍ଷ ୮୭ହଜାର ୧୮କୁଇଣ୍ଟାଲ ଧାନ କିଣାଯାଇଛି ଅର୍ଥାତ୍ ଚାଷୀ ପ୍ରତି ହାରାହାରି ୫୪କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଅପରପକ୍ଷେ ଅନ୍ୟ ଜିଲାରେ ଏହି ହାର ଅଧିକ ରହିଥିବାବେଳେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା ଚାଷୀଙ୍କ ପ୍ରତି ବାରମ୍ବାର ଏଭଳି ହତାଦର କାହିଁକି ବୋଲି ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହାର ଠିକ୍ ସମାଧାନ ସହିତ ଚାଷୀଙ୍କ ବିକ୍ରିଯୋଗ୍ୟ ଅମଳ ଧାନକୁ ନିର୍ଦ୍ଧାରୀତ ସମୟରେ ସରକାରଙ୍କ ଘୋଷିତ ଇନପୁଟ୍ ଆସିଷ୍ଟାଣ୍ଟ ସହିତ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣା ନ ଗଲେ ଜିଲାର ଚାଷୀମାନେ ଠିକଣା ସମୟରେ ଠିକ୍ ଜବାବ୍ ଦେବେ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି।
