ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ
ବରଗଡ଼,୨୦।୬: ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି ଦିଆଯିବ। ଏ ନେଇ ଶୁକ୍ରବାର କାରଖାନା କର୍ତ୍ତୃପକ୍ଷ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ବିଧିବଦ୍ଧଭାବେ ଅବଗତ କରିଥିବା ସୂଚନା ମିଳିଛି। ଚୂନପଥର ଖଣିର ସଂରକ୍ଷିତ ଭଣ୍ଡାର ସମ୍ପୂର୍ଣ୍ଣଭାବେ ଶେଷ ହୋଇଯିବା, କ୍ଲିଙ୍କର ଉପତ୍ାଦନ ଖର୍ଚ୍ଚ ଅଧିକ ହେବା ତଥା କାରଖାନାଟି ଅତି ପୁରୁଣା ହୋଇଯିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କାରଖାନା କର୍ତ୍ତୃପକ୍ଷ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ଲେଖି ଜଣାଇଥିବା ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ତେବେ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଏହି ବିଜ୍ଞପ୍ତି ଦାଖଲ ହେବା ପରଠାରୁ ୨ମାସ ଅତିକ୍ରାନ୍ତ ପରେ ଛଟେଇ କ୍ଷତିପୂରଣ ପ୍ରଦାନ ସହିତ ନୋଟିସ୍ ବଦଳରେ ଗୋଟିଏ ମାସର ଦରମା ଏକାସାଙ୍ଗରେ ପ୍ରଦାନ କରିବାକୁ କାରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଚିଠିରେ ସୂଚନା ଦିଆଯାଇଛି। କାରଖାନା ବନ୍ଦ ହେବା ଖବର ପ୍ରଚାରିତ ହେବା ପରେ ଏଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।
ଉକ୍ତ ସିମେଣ୍ଟ କାରଖାନା ପୂର୍ବରୁ ହୀରା ସିମେଣ୍ଟ କାରଖାନାଭାବେ ରହିଥିଲା। ପରବର୍ତ୍ତୀ ସମୟରେ ଇଡ୍କଲ୍ ଅଧିନକୁ ଯାଇଥିଲା। ତେବେ ପରବର୍ତ୍ତୀ ସମୟରେ କାରଖାନା ଘରୋଇକରଣ ହୋଇଥିଲା ଏବଂ ଏସିସି ଅଧିନକୁ ଚାଲି ଯାଇଥିଲା। ଗତ ୨୦୨୨ ମସିହାରୁ ଆଦାନୀ ଗୃପ କାରଖାନାକୁ ପ୍ରବେଶ କରିବା ପରେ ଚଳିତବର୍ଷରୁ ଏଠାରେ ଉପତ୍ାଦନ ବନ୍ଦ ହୋଇଯାଇଛି। ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀସ୍ଥିତ ଖଣିରୁ ଚୂନପଥର ଉତ୍ତୋଳନ ବନ୍ଦ ହୋଇଯିବା ପରଠାରୁ କାରଖାନାରେ ଏଭଳି ସ୍ଥିତି ଲାଗି ରହିଥିଲା। ଏହାକୁ ନେଇ ସେତେବେଳଠୁ କାରଖାନା ବନ୍ଦ ହୋଇଯିବା ଆଶଙ୍କା ଦେଖା ଯାଇଥିଲା । କାରଖାନା ବନ୍ଦ ହୋଇଗଲେ ଅନେକ ଶ୍ରମିକଙ୍କ ସମେତ ସ୍ଥାନୀୟ ଲୋକେ ରୋଜଗାର ହରାଇବା ସ୍ପଷ୍ଟ ହୋଇଛି। ପୂର୍ବରୁ ବରଗଡ଼ ସମବାୟ ଚିନିକଳ, ସୂତାକଳ ବନ୍ଦ ହୋଇ ସାରିଥିବାବେଳେ ଏବେ ସିମେଣ୍ଟ କାରଖାନା ବନ୍ଦ ହେବା ସୂଚନା ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି।
