ରଥ ନିର୍ମାଣ କାର୍ଯ୍ୟ
ପୁରୀ: ରଥ ନିର୍ମାଣ କାର୍ଯ୍ୟ ୬୦ତମ ଦିନରେ ପହଞ୍ଚିଛି। ନିର୍ମାଣକାରୀ ସେବକମାନେ ସକାଳ ୮ଟାରେ ରଥ ଖଳାରେ ପହଞ୍ଚିବା ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି ରଥ ପାଇଁ ଚନ୍ଦ୍ରସାଳି, କଳସ ପିଣ୍ଡି ଓ ଦୁଆର ଉପରେ ଲାଗିବା ପାଇଁ ଯଯବତା କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟପଟେ ରେଳବାଇ ପକ୍ଷରୁ ପହି ପ୍ଲେଟ୍ ପକା କାମ ଆରମ୍ଭ ହୋଇଛି। ତା’ ସହ ଚାନ୍ଦି ଓ ‘ୟୁ’ କ୍ଲାମ୍ପ ମଧ୍ୟ ଫିଟିଂ କରାଯାଇଛି। ଗତକାଲି ୧୨ ଟି ଲେଖାଏଁ କଣି ଫାଉଡା ନିର୍ମାଣ ଶେଷହୋଇଛି। ଯାହାକି ତିନିରଥ ଭୂଇଁର ଛ’ କାଠି କୋଣରେ ସେଟିଂ ହେବାପରେ ଏହାର ଚାରି ପାର୍ଶ୍ୱରେ ବତା ବା ପତଳା କାଠ ବଟନ୍ ପକାଯାଇଥାଏ। ରଥରେ କନା ପଡ଼ିଲା ବେଳେ ରଥର ଗୋଲାକାର ଆକୃତି ଆସିବା ସହ ରଥ କନା ସୁରକ୍ଷିତ ରହିଥାଏ। ସେପଟେ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହଯୋଗରେ ଅଗଭୂଇଁ ବା ତୃତୀୟ ଭୂଇଁର ଉଭୟ ପାର୍ଶ୍ୱରେ କଇଞ୍ଚି ଏବଂ ଅନ୍ଧାରୀ ତାଗ ବାଡ଼ିଆ ଶେଷହୋଇଛି। ଏଥି ସହ ଏକ ନମ୍ୱର ପୋଟଳକୁ ମଜବୁତ କରି ଟେକି ଧରିବା ପାଇଁ ଆଠଟି ନାହାକା ଖମ୍ବି ସେଟିଂ କରାଯାଇଛି। ଧୂଳି ଦଣ୍ଡା ଶେଷ ହୋଇ ପ୍ରଭା ଫିଟିଂ ପାଇଁ ଏହି ଧୂଳି ଦଣ୍ଡାକୁ ରଥ ପଛ ଦୁଇ ନାହାକାରେ ସେଟିଂ କରାଯାଇଛି। ରଥର ସମ୍ମୁଖ ଭାଗରୁ ପାରସ ପଟା ବାଡ଼ିଆ କାର୍ଯ୍ୟ କରାଯାଇଛି। ଚାରି କୋଣକୁ ଛାଡ଼ି ବେଦି ଚାରି ପାର୍ଶ୍ୱରେ ପଟା ବାଡ଼ିଆ ଯିବ, ତିନିରଥକୁ ଦୁଆର ବେଢ଼ା ଉଠିବା ପରେ ଖାଲି ଥିବା ଏହି କୋଣଗୁଡ଼ିକରେ ପଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ କରାଯିବ।
