ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ
ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ ପାର୍ବତୀଙ୍କୁ ସାଙ୍ଗରେ ଧରି ଶୀତଳଷଷ୍ଠୀ କମିଟି ପକ୍ଷରୁ ଆୟୋଜିତ ବର୍ଣ୍ଣାଢ଼୍ୟ ରୋଷଣୀ ଓ ଶୋଭାଯାତ୍ରାରେ ମନ୍ଦିରକୁ ଫେରିଥିଲେ। ରାସ୍ତାରେ ଦେବ ଦମ୍ପତିଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୋଇଥିଲା। ଠାକୁରଙ୍କ ଆଗମନ ବେଳେ ଝିପିଝିପି ବର୍ଷା ସତେ ଯେମିତି ଆକାଶରୁ ଫୁଲ ବର୍ଷା କରୁଥିଲା। ଏହି ମନୋହର ଦୃଶ୍ୟକୁ ହଜାର ହଜାର ଶ୍ରଦ୍ଧାଳୁ ଉପଭୋଗ କରୁଥିଲେ। ଗତକାଲି ମଧ୍ୟରାତ୍ରିରେ ବିବାହ ସମ୍ପନ୍ନ ହେବା ପରେ ଆଜି ଏକାମ୍ର କ୍ଷେତ୍ରରେ ଆଲୋକସଜ୍ଜା ସହ ପାରମ୍ପରିକ ବାଜାର ପଟୁଆରରେ ନଗର ପରିକ୍ରମା କରାଯାଇଥିଲା। ଏହି ଉପଲକ୍ଷେ ଦର୍ଶନ ପାଇଁ କେଦାରଗୌରୀ ମନ୍ଦିରରେ ପ୍ରବଳ ଭିଡ଼ ଲାଗିଥିଲା। ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ଦେବଦେବୀଙ୍କ ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ ଓ ବହୁ ଶ୍ରଦ୍ଧାଳୁ ବନ୍ଦାପନା କରିଥିଲେ। ତିନି ମୁଣ୍ଡିଆ ଛକଠାରେ ବ୍ରାହ୍ମଣ ନିଯୋଗ ପକ୍ଷରୁ ସୌନ୍ଦର୍ଯ୍ୟଭରା ସାମିଆନା କରାଯାଇଥିଲା। ରାସ୍ତାରେ ଚିତା ସହ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ ରହି ଭିଡ଼ ନିୟନ୍ତ୍ରଣ ସହ ସେବା ଯୋଗାଇଥିଲେ।
ସେପଟେ କେଦାରଗୌରୀରେ ମନ୍ଦିରରେ କେଦାରଗୌରୀ ଡେଭଲ୍ପମେଣ୍ଟ କମିଟି ପକ୍ଷରୁ ଅଷ୍ଟପ୍ରହର ନାମଯଜ୍ଞ ସହ ଭଜନ ପରିବେଷଣ ହୋଇଥିଲା। ଠାକୁରଙ୍କ ବିବାହଭୋଜି ଖାଇବା ପାଇଁ କେଦାରଗୌରୀ ମନ୍ଦିର ପରିସରରେ ୧୦ ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ଶ୍ରୀଲିଙ୍ଗରାଜ ଓ ପାର୍ବତୀ ଗୋଟିଏ ବିମାନରେ ଆସୁଥିବା ବେଳେ ଅନ୍ୟ ଏକ ପାଲିଙ୍କିରେ ଶ୍ରୀଅନନ୍ତବାସୁଦେବ ଆସିଥିଲେ। ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ଘଣ୍ଟବାଦ୍ୟ, ସମ୍ବଲପୁରୀ, ପଶୁମୁଖା, ଆଦିବାସୀ ଢେମ୍ସା ନୃତ୍ୟ, ଘୁମୁରା, ଶବର ଶବରୁଣୀ, ଡାକା ନୃତ୍ୟ, ରଣପା, ଦୁଲଦୁଲି, ମେଢ଼ ନାଚ, ଘୋଡ଼ା ନାଚ, ପୁରୁଲିଆ ଛଉ, ଦେବାଦେବୀ ବେଶ, ବନାଟି ବୁଲାଇ ଶୋଭାଯାତ୍ରା କରାଯାଇଥିଲା। ଏଥି ସହ ସିଆର୍ପିଏଫ୍ ବ୍ୟାଣ୍ଡ୍ ବଢ଼େଇବାଙ୍କଠାରେ ବାଜିବା ସହ ବିଭିନ୍ନ ଛକରେ ବାଣ ଫୁଟି ଶୋଭାଯାତ୍ରା କରାଯାଇଥିଲା
