ବିଶ୍ୱ ପରିବେଶ ଦିବସ ଅବସରରେ ଯାଜପୁରରେ ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ଗୋଷ୍ଠୀ-ଚାଳିତ ସ୍ଥାୟୀ ବିକାଶ କାର୍ଯ୍ୟକ୍ରମ
କଳିଙ୍ଗନଗର/ଯାଜପୁର, ୫ ଜୁନ୍, ୨୦୨୬: ପରିବେଶ ପରିଚାଳନା ଏବଂ ଗୋଷ୍ଠୀ-ଆଧାରିତ ସ୍ଥାୟୀ ବିକାଶ (ସଷ୍ଟେନେବିଲିଟି) ପ୍ରତି ନିଜର ପ୍ରତିବଦ୍ଧତାକୁ ନିରନ୍ତର ଦୃଢ଼ କରିଆସୁଥିବା, ଭାରତର ଅଗ୍ରଣୀ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା, ଜିନ୍ଦଲ ଷ୍ଟେନଲେସ୍, ପକ୍ଷରୁ ଓଡ଼ିଶାର ଯାଜପୁରର କଳିଙ୍ଗନଗରଠାରେ ବିଶ୍ୱ ପରିବେଶ ଦିବସ ୨୦୨୬ ଉପଲକ୍ଷେ ଅନେକ ସଚେତନତା ଓ ସହଭାଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଚଳିତ ବର୍ଷର ବିଶ୍ୱସ୍ତରୀୟ ବିଷୟବସ୍ତୁ (ଥିମ୍) ‘ପ୍ରକୃତି ଦ୍ୱାରା ଅନୁପ୍ରାଣିତ। ଜଳବାୟୁ ପାଇଁ। ଆମ ଭବିଷ୍ୟତ ପାଇଁ।’ ସହ ସାମଞ୍ଜସ୍ୟ ରଖି ଏବଂ ଏହି ଆହ୍ୱାନର ସକ୍ରିୟ ପ୍ରତିକ୍ରିୟାରେ, ସପ୍ତାହବ୍ୟାପୀ ପାଳିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଓ କର୍ମଚାରୀମାନଙ୍କ ଅଂଶଗ୍ରହଣ ଦ୍ୱାରା ଦାୟିତ୍ୱବାନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଚେତନତାକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକ, ଆଖପାଖର ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକାଧିକ ସଚେତନତା ଏବଂ କାର୍ଯ୍ୟକଳାପ ଭିତ୍ତିକ ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ସବୁଜ ବଳୟ ବୃଦ୍ଧି, ସ୍ଥାୟୀ ଜୀବନଶୈଳୀ ଅଭ୍ୟାସ, ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ଦାନଗଦୀସ୍ଥିତ ‘ଜିନ୍ଦଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ’ଠାରେ ଆଖପାଖ ଅଞ୍ଚଳର ମହିଳା ନେତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଘରୋଇ ଏବଂ ସାମାଜିକ ସ୍ତରରେ ପରିବେଶ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା।
ଏହି ଅବସରରେ ଜିନ୍ଦଲ ଷ୍ଟେନଲେସ୍, ଯାଜପୁରର ୟୁନିଟ୍ ହେଡ୍ ଶ୍ରୀ ଦୀପକ ଅଗ୍ରୱାଲ କହିଛନ୍ତି, “ସ୍ଥାୟୀ ବିକାଶ ବା ସଷ୍ଟେନେବିଲିଟି ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୁଏ, ଯେତେବେଳେ ଏହା ସାମୂହିକ ହୋଇଥାଏ। ଆମେ ଆମର କର୍ମଚାରୀ ଏବଂ ଗୋଷ୍ଠୀକୁ ଏଥିରେ ସାମିଲ କରି ପରିବେଶ ପ୍ରତି ଥିବା ଦାୟିତ୍ୱକୁ ଏକ ସାଧାରଣ, ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଏହି ପରିବର୍ତ୍ତନର ସୂତ୍ରପାତ କରୁଛୁ।”
ସହରରେ ସବୁଜ ବଳୟକୁ ସୁଦୃଢ଼ କରିବା ଏବଂ ପରିସ୍ଥିତିକ ସନ୍ତୁଳନ (ଇକୋଲୋଜିକାଲ୍ ବାଲାନ୍ସ) ବଜାୟ ରଖିବା ପାଇଁ କମ୍ପାନୀ ପକ୍ଷରୁ କାରଖାନା ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ପିଲାମାନଙ୍କ ମଧ୍ୟରେ ପିଲାଦିନରୁ ପରିବେଶ ସଚେତନତା ଜାଗ୍ରତ କରିବା ଏବଂ ଭବିଷ୍ୟତ ପିଢ଼ିକୁ ପରିବେଶ ପ୍ରତି ସଚେତନ ନାଗରିକ ଭାବରେ ଗଢ଼ିତୋଳିବା ପାଇଁ ପରିବେଶ ସମ୍ବନ୍ଧୀୟ ବିଷୟବସ୍ତୁକୁ ନେଇ ପାରସ୍ପରିକ କଥୋପକଥନ ଓ ସୃଜନଶୀଳ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା।
