ବିକାଶ ସଂଗଠନ (DRDO)କୁ ଏକ ବଡ଼ ସଫଳତା ହାସଲ
ଚାନ୍ଦିପୁର: ଦେଶର ସୁରକ୍ଷା କ୍ଷେତ୍ରରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ଏକ ବଡ଼ ସଫଳତା ହାସଲ ମିଳିଛି। ଶତ୍ରୁପକ୍ଷର ବିଭିନ୍ନ ପ୍ରକାରର ବିପଦରୁ ଦେଶକୁ ରକ୍ଷା କରିବା ପାଇଁ DRDO ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରଦର୍ଶନ କରିଛି, ଯାହା ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବ।
ଦୂରଗାମୀ ବାଲିଷ୍ଟିକ ମିସାଇଲ୍ (Long range Ballistic Missiles) ବିରୋଧରେ ମଲ୍ଟି-ଲେୟାର୍ ଡିଫେନ୍ସ (ବହୁସ୍ତରୀୟ ସୁରକ୍ଷା) ଏବଂ ମଧ୍ୟମ ଦୂରତାରେ ଆଣ୍ଟି-ସିପ୍ (ଜାହାଜ ବିଧ୍ୱଂସୀ) କ୍ଷମତାର ପ୍ରଦର୍ଶନ ପାଇଁ ପରସ୍ପର ସହିତ ଜଡ଼ିତ ତିନୋଟି ପର୍ଯ୍ୟାୟ ଫ୍ଲାଇଟ୍-ଟେଷ୍ଟ ସଫଳତାର ସହ କରାଯାଇଛି। ମଲ୍ଟି-ଲେୟାର୍ ବାଲିଷ୍ଟିକ ମିସାଇଲ୍ ଡିଫେନ୍ସ (BMD) କ୍ଷମତାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ସମୟରେ ଇଣ୍ଟରସେପ୍ଟର ଗୁଡ଼ିକ ନିଜ ନିଜର ଟାର୍ଗେଟ୍କୁ ସଫଳତାର ସହ ଧ୍ୱଂସ କରିଛନ୍ତି।
ଆଗାମୀ ଦିନରେ ଆସୁଥିବା ନୂଆ ନୂଆ ମିସାଇଲ୍ ବିପଦକୁ ପ୍ରତିହତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ସିଷ୍ଟମକୁ ପ୍ରସ୍ତୁତ କରାଯାଇଛି। ଏହି ସଫଳ ପରୀକ୍ଷଣ ସହିତ ଭାରତ ବିଶ୍ୱର ସେହି ସୀମିତ ଦେଶମାନଙ୍କ ତାଲିକାରେ (Elite Group) ସାମିଲ ହୋଇଛି, ଯେଉଁମାନଙ୍କ ପାଖରେ ଆଇସିବିଏମ୍ (ICBM – Intercontinental Ballistic Missile) ଭଳି ଶକ୍ତିଶାଳୀ ବାଲିଷ୍ଟିକ ମିସାଇଲ୍କୁ ମଧ୍ୟ ଆକାଶରେ ଧ୍ୱଂସ କରିବାର କ୍ଷମତା ରହିଛି। ମଧ୍ୟମ ଦୂରତାରେ ସାମୁଦ୍ରିକ ଜାହାଜ ବିଧ୍ୱଂସୀ ପ୍ରତିରକ୍ଷା ପ୍ରଣାଳୀର ପ୍ରଦର୍ଶନ ପାଇଁ ‘ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍-ମିଡିୟମ୍ ରେଞ୍ଜ’ (Naval Anti-Ship Missile-Medium Range) ର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଛି, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରଦର୍ଶନ ପାଇଁ DRDOର ସମସ୍ତ ବୈଜ୍ଞାନିକ ଓ ସହଯୋଗୀଙ୍କୁ ଦେଶବ୍ୟାପୀ ଶୁଭେଚ୍ଛା ଜଣାଯାଉଛି।
