ରାଜ୍ୟରେ ସର୍ବାଧିକ ଜଳପ୍ରପାତ
ନୂଆପଡ଼ା: ରାଜ୍ୟରେ ସର୍ବାଧିକ ଜଳପ୍ରପାତ କେଉଁଠି ପ୍ରଶ୍ନ ହେଲେ ଉତ୍ତର ଆସେ ନୂଆପଡ଼ାଜିଲ୍ଲା। ୧୫ଟି ଜଳପ୍ରପାତ ରହିଥିଲେ ହେଁ କେବଳ ୩ଟିର ବିକାଶ କିଛିମାତ୍ରାରେ ହୋଇଛି। ଅନ୍ୟ ୧୨ଟି ପ୍ରପାତ ଆଜି ବି ଅଲୋଡ଼ା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହିଥିବା ବିଭିନ୍ନ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ହେଁ ସଡ଼କ ସୁବିଧା ନାହିଁ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମନ ମୋହୁଥିବା ଏହି ଜଳପ୍ରପାତଗୁଡ଼ିକର ଆବଶ୍ୟକ ବିକାଶ କରାଗଲେ ପର୍ଯ୍ୟଟନ ମାନଚିତ୍ରରେ ନୂଆପଡ଼ା ଅଧିକ ସମୃଦ୍ଧ ହୋଇପାରନ୍ତା। ସେ ଦିଗରେ ଆଜି ଯାଏଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନାହିଁ। ସଡ଼କ, ମୋବାଇଲ୍ ନେଟ୍ୱର୍କ ସହ ମୌଳିକ ସୁବିଧାକୁ ଅଣଦେଖା କରାଯାଇଥିବାରୁ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମି ଅଧୁରା ରହିଯାଇଛି। ବଣପାହାଡ଼ଘେରା ନୂଆପଡ଼ା ଜିଲ୍ଲାରେ ପ୍ରାକୃତିକ ଜଳପ୍ରପାତ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ। କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟରେ ବେନିଆଧସ, ଚଉଳଧୁଆ, ଖରଲଧସ, ରୁପୁଆମ୍, ଆରିଙ୍ଗ, ବାଖେଡ଼, ସପୋଡ଼ୋ, କାବେଲଦରା, ମଛଲିପଗାର ଭଲି ୧୨ଟି ଜଳପ୍ରପାତ ରହିଛି। ସେହିଭଳି ସିନାପାଲି ବ୍ଲକ୍ରେ ଥିପାଖୋଲ, ବୋଡ଼େନ ବ୍ଲକ୍ରେ କଦଳୀଝରଣ, ନୂଆପଡ଼ା ବ୍ଲକ୍ରେ ଗୋଧସ ଓ ବାଘଝୋଲା ଜଳପ୍ରପାତ ରହିଛି।
