September 10, 2026

ଓଡିଶା ଛାତ୍ର ସଂଗଠନ ପକ୍ଷରୁ “ମଦକୁ’ ବିରୋଧ “ଶିକ୍ଷା’କୁ ହଁ ର ଦୃଢ଼ ବାର୍ତ୍ତା

WhatsApp Image 2026-08-08 at 9.51.08 PM

ବିଞ୍ଝାରପୁର! ତା-୮/୮/୨୬: ମଦ ଓ ମାଦକ ଦ୍ରବ୍ୟ ବିରୋଧରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ଏକ ନିଶାମୁକ୍ତ ଶିକ୍ଷା ପରିବେଶ ଗଠନ ଉଦ୍ଦେଶ୍ୟରେ ଆଜି ଓଡ଼ିଶା ଛାତ୍ର ସଂଗଠନ ଓ ସାଧୁ ଗୌଡେଶ୍ୱର ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମଦ ବିରୋଧୀ ସଚେତନତା ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।ମାର୍ଚ୍ଚଟି ମହାବିଦ୍ୟାଳୟ ପରିସରରୁ ବାହାରି ମୁଖ୍ୟ ଗେଟ୍ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ସାମିଲ ହୋଇ ମଦ ଓ ମାଦକ ଦ୍ରବ୍ୟ ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଶା ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ “ମଦକୁ ବିରୋଧ, ଶିକ୍ଷାକୁ ହଁ” ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମଟି ଓଡ଼ିଶା ଛାତ୍ର ସଂଗଠନର ରାଜ୍ୟ ସଭାପତି ଅଭିଷେକ ଦାଶ ଏବଂ ଏସ୍‌ଜି କଲେଜର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସଭାପତି ସରୋଜ ମଲ୍ଲିକ, ଦଶରଥପୁର ବ୍ଲକ ସଭାପତି ଶିବକାନ୍ତ ମଲ୍ଲିକଙ୍କ ସମେତ ଚନ୍ଦନ ମଲ୍ଲିକ, ସତ୍ୟଜିତ୍ ସେଠୀ, ଜିତେନ୍ଦ୍ର ସାହୁ, ସୌରଭ ମଲ୍ଲିକ, ପବିତ୍ର ମଲ୍ଲିକ, ଦେବାଶିଷ ଦାସ, ଯଜ୍ଞସେନୀ କୁଣ୍ଡୁ ଓ ପ୍ରଣିତା ଦାସ ପ୍ରମୁଖ ଉପସ୍ଥିତ ରହି ମାର୍ଚ୍ଚରେ ସାମିଲ ହୋଇଥିଲେ।
ଶିକ୍ଷାନୁଷ୍ଠାନ ହେଉଛି ଜ୍ଞାନ ଓ ଚରିତ୍ର ଗଠନର ସ୍ଥାନ ବୋଲି ଛାତ୍ର ଛାତ୍ରୀ ମାନେ ନିଜ ନିଜର ମତ ରଖିଥିଲେ। ତେଣୁ ଶିକ୍ଷାନୁଷ୍ଠାନର ଆଖପାଖରେ ମଦ ଓ ମାଦକ ଦ୍ରବ୍ୟର ପ୍ରଭାବ ରହିବା ଉଚିତ ନୁହେଁ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖି ଶିକ୍ଷା, ଦକ୍ଷତା ଓ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
“ମଦକୁ ବିରୋଧ – ଶିକ୍ଷାକୁ ହଁ” ନାରାରେ ମୁଖରିତ ଏହି ମାର୍ଚ୍ଚ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ, ଶୃଙ୍ଖଳିତ ଓ ନିଶାମୁକ୍ତ ଶିକ୍ଷା ପରିବେଶ ପାଇଁ ଦୃଢ଼ ବାର୍ତ୍ତା ପ୍ରଦାନ କରିଛି।

About The Author