ଓଡିଆ ନୂତନ ବର୍ଷ ଓ ବିଷୁବ ସଂକ୍ରାନ୍ତି

new year

ଓଡିଆ ଜାତିର ଆତ୍ମା, ଆସ୍ଥା, ଅସ୍ମିତା ଓ ଐତିହ୍ୟର ଅନୁସରଣ ରେ ଯେଉଁ କିଛି ପର୍ବ ଆଜିଯାଏ ଆମ ସାମୂହିକ ଚେତନାକୁ ଉଜ୍ଜ୍ୱଳ କରି ରଖି ଆସିଛି ସେଥିମଧ୍ୟରୁ ଓଡ଼ିଆ ନବବର୍ଷ ଏକ ଅନନ୍ୟ ଓ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପର୍ବ ଏହା ଓଡ଼ିଆ ଜାତିର ସାଂସ୍କୃତିକ ସ୍ୱରୂପ। ଏହା ଆଧ୍ୟାତ୍ମିକ ଚେତନା ଓ ଐତିହ୍ୟମୟ ପରମ୍ପରାର ଏକ ଉଜ୍ଜ୍ୱଳ ପ୍ରତିଛବି। ଏହାସହ ଓଡିଶାର ଜୀବନଚର୍ଯ୍ୟା ପରମ୍ପରା ଓ ସାଂସ୍କୃତିକ ଚେତନା ସହ ଗଭୀର ଭାବେ ଜଡ଼ିତ ଏକ ପବିତ୍ର ଅବସର । ତେଣୁ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଏହାର ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

   ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପ୍ରତିମାସ ଗୋଟିଏ ରାଶି ରୁ ଅନ୍ୟ ରାଶିକୁ ଯାଆନ୍ତି ସେତେବେଳେ ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରନ୍ତି ସେହି ଘଟଣାକୁ ମେଷ ସଂକ୍ରାନ୍ତି କୁହାଯାଏ । ଆଉ ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ଗତି କରି ବିଷୁବ ରେଖାରେ ରହିଥାଏ ତେଣୁ ଏହି ଦିନକୁ ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହା ସହ ପ୍ରକୃତିର ମଧ୍ୟ ଋତୁ ପରିବର୍ତ୍ତନ ଘଟି ଗ୍ରୀଷ୍ମ ଋତୁର ଆଗମନ ହୁଏ ତେଣୁ ଏହି ସମୟରେ ଅଧିକ ମାତ୍ରାରେ ଗରମ ହେବା ଯୋଗୁ ଶରୀରରେ ଜଳର ପରିମାଣ ସ୍ଥିର ରଖିବା ପାଇଁ ଅଧିକ ରୁ ଅଧିକ ପଣା ପିଆ ଯାଉଥିବାରୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ ହିନ୍ଦୁ ଧର୍ମରେ ବର୍ଷର ଆରମ୍ଭ ବୈଶାଖ ମାସର ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହେବା ସହ ଏହି ଦିନଠାରୁ ଓଡ଼ିଆ ପଞ୍ଜିକାର ନୂତର ବର୍ଷ ର ଆରମ୍ଭ ହୁଏ । ଏହା ପ୍ରାୟତ ପ୍ରତିବର୍ଷ ଅପ୍ରେଲ ୧୪ ତାରିଖରେ ହୁଏ ଏହି ଦିନ ଠାରୁ ଓଡିଆ ନୂତନ ବର୍ଷ ଓ ସୂର୍ଯ୍ୟଙ୍କ ନୂତର ଚକ୍ର ବା ସୌର ବର୍ଷ ଆରମ୍ଭ ହୁଏ ।

  ଏହି ଦିନର ଏକ ବିଶେଷ ପ୍ରଥା ହେଉଛି ପାଣିଭରା କଳସ କୁ ଏକ ଶିଖା ସହିତ ବନ୍ଧା ଯାଇ ସେହି କଳସ ରେ ଏକ ଛୋଟ ଛିଦ୍ର କରାଯାଇଥାଏ ତାହା ବୁନ୍ଦା ବୁନ୍ଦା ହୋଇ ତୁଳସୀ ବୃକ୍ଷରେ ପଡିଥାଏ । ଏହା ପରବର୍ତ୍ତୀ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି କଳସୀ ରେ ଜଳ ରଖାଯାଏ । ଏହି ପ୍ରକ୍ରିୟା କରିବାର କାରଣ  ଏହା ଗ୍ରୀଷ୍ମ ଋତୁର ତୀବ୍ର ତାପରେ ତୁଳସୀ ଓ ପ୍ରକୃତିକୁ ଶୀତଳତା ଦେବାର ପ୍ରତୀକ। ସେଥିସହ ଜଳର ମହତ୍ତ୍ୱ, ପ୍ରାଣୀମାନଙ୍କ ପ୍ରତି କରୁଣା ଓ ପ୍ରକୃତି ସୁରକ୍ଷାର ସନ୍ଦେଶ ମଧ୍ୟ ଏହି ପ୍ରଥା ମାଧ୍ୟମରେ ପ୍ରକାଶ ପାଏ ।

ପଣା ସଂକ୍ରାନ୍ତି ଦିନ ପଣା ନାମକ ଏକ ଶୀତଳ ପାନୀୟ ପ୍ରସ୍ତୁତ କରାଯାଏ ସାଧାରଣତଃ ପାଚିଲା ବେଲ ଫଳରେ ପାଣି, ଗୁଡ଼ କିମ୍ବା ଚିନି, ଦହି,  ଛତୁଆ , ଦୁଧ ଓ ନଡ଼ିଆ କୁରା ମିଶାଇ ପଣା ତିଆରି କରାଯାଏ। ରୁଚି ବଢ଼ାଇବା ପାଇଁ ଗୋଲ ମରିଚ ଓ ବିଭିନ୍ନ ପ୍ରକାରର ଫଳ ମଧ୍ୟ ମିଶେଇ ପ୍ରସ୍ତୁତ କରାଯାଏ। ଏହି ପାନୀୟ ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳ ରଖେ ଏବଂ ପଣା ସଂକ୍ରାନ୍ତିର ପ୍ରମୁଖ ପ୍ରସାଦ ଭାବେ ବଣ୍ଟନ କରାଯାଏ।

ଏହି ଦିନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ଲୋକ ପର୍ବ ପାଳନ ହୁଏ ସେଥି ମଧ୍ୟରୁ ଝାମୁ ଯାତ୍ରା ଏକ ପ୍ରସିଦ୍ଧପର୍ବ,ଯେଉଁଥିରେ ଭକ୍ତମାନେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲି ନିଜ ଭକ୍ତି ଓ ମନସ୍କାମନା ପ୍ରକାଶ କରନ୍ତି। ଏହା ଦେବୀ ଉପାସନା ସହ ଜଡିତ ଏକ କଠିନ ଧାର୍ମିକ ଆଚାର । ତେବେ ପୁରୀ ଜିଲ୍ଲା ର କାକଟପୁରର ମା ମଙ୍ଗଳା,ଜଗତସିଂହପୁର ଜିଲ୍ଲା ର ଝଙ୍କଡ଼ର ମା ସାରଳା ଓ

କଟକ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ/ଦେବାଦେବୀ ମନ୍ଦିରରେ ମଧ୍ୟ ଏହା ପାଳନ କରାଯାଏ । ଏହା ସହିତ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଟ ମଧ୍ୟ ଚୈତ୍ର ମାସର ଏକ ପ୍ରାଚୀନ ଧାର୍ମିକ ଲୋକପର୍ବ। ଏଥିରେ ଦଣ୍ଡୁଆମାନେ ବ୍ରତ ପାଳନ କରି ଶିବ ଓ ଶକ୍ତିଙ୍କ ଉପାସନା କରନ୍ତି। ନୃତ୍ୟ, ଗୀତ, ନାଟକ ଓ ତପସ୍ୟା ଏହାର ମୁଖ୍ୟ ଅଂଶ । ଏହି ଦଣ୍ଡ ନାଟ ମହାବିଷୁବ ସଂକ୍ରାନ୍ତି ରେ ଶେଷ ହୁଏ ଏହି ଶେଷ ଦିନରେ ହେଉଥିବା ଯାତ୍ରା କୁ ମେରୁ ଯାତ୍ରା ବୋଲି କୁହାଯାଏ, ଯାହା ଏହି ବ୍ରତର ସମାପନୀ ଉତ୍ସବ ଅଟେ। ପୁଣି ଏହି ଓଡ଼ିଆ ନବବର୍ଷ ରେ ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଧ୍ୟ ସ୍ବତନ୍ତ୍ର ନୀତି ପାଳନ ହେଇଥାଏ । ଏହି ସମସ୍ତ ପର୍ବ ଓଡ଼ିଶାର ଧାର୍ମିକ ଭକ୍ତି, ସାଂସ୍କୃତିକ ଐତିହ୍ୟ ଓ ଲୋକପରମ୍ପରାର ପ୍ରତୀକ। ଏହା ଓଡ଼ିଆ ସଂସ୍କୃତିର ଗୌରବକୁ ପ୍ରକାଶ କରିଥାନ୍ତି ଏବଂ ସମାଜରେ ଏକତା ଓ ଆସ୍ଥାକୁ ଦୃଢ କରନ୍ତି।

ଏହି ନବବର୍ଷ ର ଉତ୍ସବ କେବଳ ଓଡ଼ିଶା ରେ ନୁହେଁ ଭାରତର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମ ଏବଂ ସେମାନଙ୍କ ନିଜସ୍ୱ ପରମ୍ପରା ରେ ପାଳନ କରାଯାଏ। ଯେମିତି କି ତାମିଲନାଡୁ ରେ ପୁଥାଣ୍ତୁ, ଆନ୍ଧ୍ର ପ୍ରଦେଶରେ ଉଗାଦି, ମହାରାଷ୍ଟ୍ରରେ ଗୁଡ଼ି ପଡ଼ୱା , ପଞ୍ଜାବ ରେ ବୈଶାଖୀ , ଆସାମ ରେ ରଙ୍ଗୋଲୀ ବିହୁ, ପଶ୍ଚିମବଙ୍ଗ ରେ ପହିଲା ବୈଶାଖ, କେରଳ ରେ ବିଷୁ ,ଏହି ପରି ଭାବରେ ନବବର୍ଷ କୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ କେବଳ ନାମ ଓ ପ୍ରଥା ଭିନ୍ନ ଥାଏ।

ତେବେ ସାରା ଓଡ଼ିଶାରେ ଏହି ଦିନ ଉତ୍ସବମୟ ପରିବେଶ ଦେଖିବାକୁ ମିଳେ। ଗ୍ରାମ ଓ ସହର ଉଭୟ ଅଞ୍ଚଳରେ ଲୋକମାନେ ଘର ସଫା କରି ନୂତନ ବସ୍ତ୍ର ପରିଧାନ କରି   ମନ୍ଦିରକୁ ଯାଇ ପୂଜା-ଅର୍ଚ୍ଚନା କରନ୍ତି। ବେଲ ପଣା ପାନ କରିବା ଏହି ପର୍ବର ଏକ ବିଶେଷ ଆକର୍ଷଣ, ଯାହା ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳତା ଦେଇଥାଏ। ଏହା ସହିତ ଦାନ-ଧର୍ମକରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇବା ଏହି ପର୍ବର ଅଂଶ ଅଟେ। ଏହି ଦିନଟି ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳିତ ହେଉଥିବାରୁ ମନ୍ଦିରଗୁଡ଼ିକରେ ଭକ୍ତମାନଙ୍କ ଭିଡ଼ ଲକ୍ଷ୍ୟ କରାଯାଏ। ଓଡ଼ିଆ ନବବର୍ଷ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଜୀବନ୍ତ ପ୍ରତୀକ ଭାବେ ପରିଚିତ। ଏହା ଲୋକମାନଙ୍କ ମଧ୍ୟରେ ସମ୍ପ୍ରୀତି, ଏକତା ଓ ଭାଇଚାରାକୁ ଦୃଢ଼ କରେ ଓ ସାମାଜିକ ମୂଲ୍ୟବୋଧକୁ ଅବିକଳ ରଖିଥାଏ।

 ଓଡ଼ିଆ ନବବର୍ଷ କେବଳ ଏକ ପର୍ବ ନୁହେଁ, ବରଂ ଏହା ଓଡ଼ିଆ ଜାତିର ଗୌରବ ଓ ପରିଚୟର ଅଭିବ୍ୟକ୍ତି। ଏହା ନୂତନ ଆଶା ଓ ଉତ୍ସାହ ସହିତ ଜୀବନକୁ ଆଗକୁ ନେବାର ପ୍ରେରଣା ଦେଇଥାଏ। ଏହି ପରମ୍ପରା ଆମକୁ ଶିଖାଏ ଯେ ଜୀବନର ଗତି କେବଳ କାଳଚକ୍ରର ଆଗକୁ ବଢ଼ିବା ନୁହେଁ, ଏହା ଆତ୍ମବିଶ୍ୱାସ, ଆତ୍ମସଂଶୋଧନ ଓ ଆତ୍ମନିର୍ମାଣର ଏକ ନିରନ୍ତର ପ୍ରକ୍ରିୟା। ଏହି ଅର୍ଥରେ ଓଡ଼ିଆ ନବବର୍ଷ ହେଉଛି ନବଚେତନାର ଏକ ସୃଜନମୟ ଆରମ୍ଭ। ନବବର୍ଷ ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟର ପ୍ରତୀକ।  ଏହି ପରମ୍ପରା  ଆଚାର-ବିଚାର ଓ ଉତ୍ସବମାନ ଓଡ଼ିଆ ସଂସ୍କୃତିକୁ ସଜୀବ ରଖେ । ଏହା ଲୋକମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ପରମ୍ପରା ପ୍ରତି ଗର୍ବବୋଧ ବଢ଼ାଏ। ତେଣୁ ନବବର୍ଷ କେବଳ କାଳଗଣନାର ଆରମ୍ଭ ନୁହେଁ, ଏହା ଓଡ଼ିଆ ସାଂସ୍କୃତିକ ଐତିହ୍ୟର ଉତ୍ସବ ଅଟେ।

About The Author