September 10, 2026

ଚତୁର୍ଦ୍ଧା ବିଗ୍ରହ ରଥରେ ଦକ୍ଷିଣ ମୋଡ଼

WhatsApp Image 2026-07-21 at 1.48.46 PM

ପୁରୀ: ଚତୁର୍ଦ୍ଧା ବିଗ୍ରହ ଜନ୍ମବେଦିକୁ ଆସିବା ପାଇଁ ରଥରେ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆସିବା ବେଳେ କେବଳ ସମ୍ମୁଖ ଭାଗରେ ଦଉଡ଼ି ବନ୍ଧା ଯାଇ ଟଣାଯିବାର ବିଧି ରହିଛି। ସାମନାରେ ରଥ ଅଟକି ଗଲେ ଉକ୍ତ ସ୍ଥାନ ସିନା ଭଙ୍ଗା ହୁଏ, କିନ୍ତୁ ରଥକୁ ପଛକୁ ଟଣାଯାଏ ନାହିଁ। ମାତ୍ର ଦକ୍ଷିଣ ମୋଡ଼ ବେଳେ ରଥର ଉଭୟ ସମ୍ମୁଖ ଓ ପଶ୍ଚାତ ଭାଗରେ ଦଉଡ଼ି ସଂଯୋଗ କରି ଟଣାଯାଏ। ଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ବାରକୁ ରଥ ତ୍ରୟ ସ୍ଥାନାନ୍ତର କରାଯିବାର ବିଧିକୁ ଦକ୍ଷିଣ ମୋଡ଼ କୁହାଯାଏ। ଏହା ପଛରେ ବି ଆଧ୍ୟାତ୍ମିକ ତତ୍ତ୍ବ ରହିଛି। ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରଥଯାତ୍ରାରେ ଆଣି ନ ଥିବାରୁ ଦେବୀ ହେରା ପଞ୍ଚମୀରେ ଗୁପ୍ତରେ ଆସି ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିଲେ। ତେଣୁ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ କରାଯିବା ନିମନ୍ତେ ଆଦେଶ ରୁହେ ବୋଲି ଗବେଷକ ଭାସ୍କର ମିଶ୍ରଙ୍କ ରଚିତ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ପୁସ୍ତକରେ ବର୍ଣ୍ଣନା ରହିଛି।
ବିଶେଷତଃ ମହାପ୍ରଭୁ ରଥରେ ଆସି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି ଏବଂ ସେଠାରୁ ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କରନ୍ତି। ମାତ୍ର ବାହୁଡ଼ାରେ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଦେଇ ଶ୍ରୀବିଗ୍ରହମାନେ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଆସନ୍ତି। ଗୁଣ୍ଡିଚା ମନ୍ଦିର ସଂଲଗ୍ନ ସ୍ଥାନକୁ ଶରଧାବାଲି କୁହାଯାଉଥିବା ବେଳେ ରାସ୍ତାଘାଟ ନବୀକରଣ ହେବା ପରେ କେବଳ ନାକଚଣା ଦ୍ବାର ସମ୍ମୁଖ ଭାଗରେ ବାଲି ପକାଯାଇ ଶରଧାବାଲିର ଅସ୍ତିତ୍ବକୁ ବଜାୟ ରଖାଯାଇଛି।
ଦକ୍ଷିଣ ମୋଡ଼ ସମୟରେ ଆଉ ଏକ ଭିନ୍ନତା ପରିଲକ୍ଷିତ ହୁଏ। ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଦିନ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ, ପରେ ସୁଭଦ୍ରା ଓ ତା’ ପରେ ଜଗନ୍ନାଥଙ୍କ ରଥ ଟଣା ହେବାର ବିଧି ରହିଛି। ମାତ୍ର ଦକ୍ଷିଣ ମୋଡ଼ ସମୟରେ ପ୍ରଚଳିତ ପ୍ରଥା ମୁତାବକ, ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଏ। ଏହା ପରେ ତାଳଧ୍ବଜ ଓ ନନ୍ଦିଘୋଷ ରଥ ଟଣାଯାଏ। ଅତୀତରେ କଳା ବେଠିଆଙ୍କ ସମେତ ହାତୀମାନଙ୍କ ସହଯୋଗରେ ରଥର ଦକ୍ଷିଣ ମୋଡ଼ କରାଯାଉଥିଲା। ଏହି ସମୟରେ ରଥକୁ ସାମନା ଓ ପଛରୁ ଟାଣି ମୋଡ଼ କରାଯାଉଥିବାରୁ ହାତୀମାନେ ମୁଣ୍ଡ ଲଗେଇ ଠେଲିବାରେ ଏହା ସହଜ ହେଉଥିଲା।

About The Author