ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକଠାରୁ ଗୋଟିଏ ଦିନ ବିଳମ୍ବରେ ଜୁଲାଇ ୯ ଗୁରୁବାର ସୁଦ୍ଧା ସମଗ୍ର ଭାରତକୁ ସ୍ପର୍ଶ କରି

rain

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକଠାରୁ ଗୋଟିଏ ଦିନ ବିଳମ୍ବରେ ଜୁଲାଇ ୯ ଗୁରୁବାର ସୁଦ୍ଧା ସମଗ୍ର ଭାରତକୁ ସ୍ପର୍ଶ କରିଛି। ଏ ପର୍ଯ୍ୟନ୍ତ ଦେଶରେ ମୋଟ ୧୯୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି, ଏହି ପରିମାଣର ବର୍ଷା ସ୍ୱାଭାବିକଠାରୁ କମ୍। ବର୍ତ୍ତମାନ ସୁଦ୍ଧା ୨୩୦.୪ ମିମି ବର୍ଷା ହେବା କଥା। କିନ୍ତୁ ସମ୍ପ୍ରତି ମୌସୁମୀଜନିତ ବର୍ଷା ବୃଦ୍ଧି ପାଇଥିବାରୁ ଏହା ତଳିତ ଖରିଫ ଋତୁରେ ଚାଷୀମାନଙ୍କ ପାଇଁ ଲାଭକାରୀ ହେବ ବୋଲି କୁହାଯାଉଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ୍‌ ମାସରେ ମୌସୁମୀ ବର୍ଷା ୪୦ ପ୍ରତିଶତ କମ୍ ରହିଥିଲା। ମାତ୍ର ୯୯.୫ ମିମି ବର୍ଷା ହୋଇଥିଲା। କିନ୍ତୁ ଜୁଲାଇରେ ଅଳ୍ପଦିନ ଭିତରେ ତାହା ବୃଦ୍ଧି ପାଇ ୧୯୫.୫ ମିମିରେ ପହଞ୍ଚିଛି, ଯାହା ଦୁଇଗୁଣରୁ ଅଧିକ। ଉତ୍ତର, ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ଭଲ ବର୍ଷା ହୋଇଛି। କେତେକ ରାଜ୍ୟରେ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ସାଧାରଣରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଆଇଏମ୍‌ଡି କହିଛି, ଚଳିତ ବର୍ଷ ମୌସୁମୀର ପ୍ରଗତି କୃଷି କ୍ଷେତ୍ର ପାଇଁ ଅନୁକୂଳ ରହିଛି। ଭଲ ବର୍ଷା ଯୋଗୁଁ ଧାନ, ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଖରିଫ ଫସଲର ବୁଣାକାମ ଦ୍ରୁତ ଗତିରେ ଚାଲିଛି। ଜଳଭଣ୍ଡାରଗୁଡ଼ିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ ପାଇଁ ଲାଭଦାୟକ ହେବ।

About The Author