ରଥଯାତ୍ରା ଓ ପ୍ରଭୁଜଗନ୍ନାଥଙ୍କ ଯାନିଯାତ୍ରା ପାଳନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଗଜପତି ମହାରାଜ ଓ ଓଡ଼ିଶା ସରକାର ମଧ୍ୟ ଅସନ୍ତୋଷ

WhatsApp Image 2026-07-09 at 8.43.56 PM

ପୁରୀ: ଇଣ୍ଟରନ୍ୟାସନାଲ୍‌ ସୋସାଇଟି ଫର୍‌ ଶ୍ରୀକୃଷ୍ଣ କନ୍‌ସିଅସ୍‌ନେସ୍‌ (ଇସ୍କନ୍‌)ର ଅ-ତିଥି ରଥଯାତ୍ରା ଓ ପ୍ରଭୁଜଗନ୍ନାଥଙ୍କ ଯାନିଯାତ୍ରା ପାଳନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଗଜପତି ମହାରାଜ ଓ ଓଡ଼ିଶା ସରକାର ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। ନିର୍ଦ୍ଧାରିତ ତିଥିରେ ସ୍ନାନଯାତ୍ରା, ଗୁଣ୍ଡିଚା, ବାହୁଡ଼ା ଆଦି ପାଳନ କରିବାକୁ ଇସ୍‌କନକୁ ବାରମ୍ବାର ଅନୁରୋଧ କରାଯାଇଛି। ଶେଷରେ ପୁରୀ ଗଜପତି ଏହି ମର୍ମରେ ଲେଖିଥିବା ଚିଠିର ପ୍ରତ୍ୟୁତ୍ତର ଇସ୍କନ୍‌ ଦେଇଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ଅନୁସାରେ ବିଦେଶରେ ଯାନିଯାତ୍ରା ଆଦି ପାଳିତ ହୋଇପାରିବ ନାହିଁ ବୋଲି ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛି।
ଗଜପତି ମହାରାଜ ଦିବ୍ୟସିଂହ ଦେବ ଚିଠିଦ୍ବାରା କରିଥିବା ଅନୁରୋଧକୁ ପଶ୍ଚିମବଙ୍ଗ କୋଲକାତାସ୍ଥିତ ମାୟାପୁରର ଇସ୍କନ ଗଭର୍ଣ୍ଣିଂ ବଡି କମିସନ୍‌ (ଜିବିସି) ଚେୟାରମ୍ୟାନ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ଗଜପତି ମହାରାଜଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି, ଏଣିକି ଏ ବିଷୟରେ କିଛି ବି କହିବୁ ନାହିଁ। ଏହି ଚର୍ଚ୍ଚାରୁ ସବୁଦିନ ପାଇଁ ସମ୍ମାନ ପୂର୍ବକ ଦୂରେଇ ରହିବେ ବୋଲି ଚେତାବନୀ ଶୁଣାଇଛନ୍ତି।
ପ୍ରଥମତଃ ମୂଳପୀଠର ବିଧି, ପରମ୍ପରା, ଶାସ୍ତ୍ର ନିର୍ଦ୍ଦେଶକୁ ଜଳାଞ୍ଜଳି ଦେଇ ଇସ୍କନ୍‌ ବିଦେଶରେ ମନଇଚ୍ଛା ନିଜ ସୁବିଧାରେ ରଥଯାତ୍ରା ଆୟୋଜନ କଲା। ବିଦେଶରେ ରହୁଥିବା ଓଡ଼ିଆ ଓ ଭାରତୀୟ ଜଗନ୍ନାଥପ୍ରେମୀ, ସମଗ୍ର ବିଶ୍ବରେ ଥିବା କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଖେଳୁଥିବାରୁ ହିଁ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ସମଗ୍ର ବିଶ୍ବରେ ଭକ୍ତମାନେ ସ୍ବର ଉଠାଉଛନ୍ତି। ତଥାପି ନିଜର ଜିଦ୍‌ରେ ଅଟଳ ରହି ଅଶାସ୍ତ୍ରୀୟ ପରମ୍ପରାକୁ ବାରମ୍ବାର ଦୋହରାଇ ଚାଲିଛି। ପୁଣି ଏହି ଆଲୋଚନାକୁ ଏଇଠି ବନ୍ଦ କରିବାକୁ ଚିଠିରେ ଦର୍ଶାଇ, ପରୋକ୍ଷରେ ମନଇଚ୍ଛା, ନିଜ ହିସାବରେ ଅ-ତିଥିରେ ରଥଯାତ୍ରା ଆୟୋଜନ କରିବ ବୋଲି ଇଙ୍ଗିତ ଦେଇସାରିଛି।

About The Author