September 10, 2026

ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ର

WhatsApp Image 2026-08-25 at 4.36.44 PM

ଦିଗପହଣ୍ଡି,୨୫।୮: ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନିଲ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ମୁଖ୍ୟ ଅତିଥି ଏବଂ ଏସଆଇ ରାଜକିଶୋର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଉଦୟନାଥ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରକାର ନିଶା ମୋହରେ ବଶବର୍ତ୍ତୀ ହୋଇ ଆଧୁନିକ ଯୁବ ଛାତ୍ର ସମାଜ ପଥଭ୍ରଷ୍ଟ ହେବା ସହିତ ସେମାନଙ୍କୁ ନେଇ ମାତାପିତା ଦେଖିଥିବା ସ୍ବପ୍ନ ମଧ୍ୟ ଚୁରମାର ହୋଇଯାଉଥିବା ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅବକାରୀ ଏବଂ ଏନଡିପିଏସ ଆକ୍ଟ ଭଳି ବିଭିନ୍ନ ନିଶା ବିରୋଧୀ ଆଇନରେ ରହିଥିବା ପ୍ରାବଧାନ ସମ୍ପର୍କରେ ଉପସ୍ଥିତ ଛାତ୍ର ମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ତୃପ୍ତି ସାମଲ,ସୁନିତା ମହାଙ୍କୁଡ଼,ଶିବାନୀ ସାହୁ, ରଚିତା ସାହୁ, ସୋନାଲି ସାହୁ, ସୁଚିଶ୍ମିତା ନାୟକ, ଶିକ୍ଷକ ଲୋକନାଥ ସେଠୀ, ସିମାଞ୍ଚଳ ରେଡ୍ଡୀ, ଗୌରୀଶଙ୍କର ପ୍ରଧାନ, ସାଇରାଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ର ବୃନ୍ଦ ନିଶା ସେବନ ବିରୋଧରେ ଶପଥପାଠ କରିଥିଲେ।
ସେହିପରି ସ୍ଥାନୀୟ ଖେମୁଣ୍ଡି କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଥାନା ଆଇଆଇସି, ଏସ.ଆଇଙ୍କ ସମେତ ଅଧ୍ୟାପିକା ଡ଼.ଅନିତା ପାଣି,ଅଧ୍ୟାପକ ଭବାନୀ ପାଣିଗ୍ରାହୀ, ଅନିଲ ସାହୁ ଯୋଗଦେଇ ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରୀ ଛାତ୍ର ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଇଆଇସି କହିଥିଲେ। ଅପମିଶ୍ରିତ ନିଶା ସେବନ ଦ୍ୱାରା ଲୋକେ ପଙ୍ଗୁ ହୋଇଯାଆନ୍ତି। ଯୁବ ସମାଜ ନିଶା ସେବନ ଦ୍ୱାରା ସେମାନଙ୍କ ବିକାଶ ଓ ଦେଶର ଅର୍ଥନୀତି ରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତେଣୁ ସେମାନେ ନିଶା ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଉପସ୍ଥିତ ଛାତ୍ରମାନଙ୍କୁ ଏନେଇ ସଚେତନ କରାଯିବା ପରେ ସେମାନେ ନିଶା ସେବନ ବିରୋଧରେ ଶପଥପାଠ କରିଥିଲେ।

About The Author