September 10, 2026

ସରପଞ୍ଚ ଅରୁଣ ଜ୍ୟୋତି ସାମଲ ଓ ସାମ୍ବାଦିକ ପଦ୍ମନାଭ ପହିଙ୍କ ମିଳିତ ଉଦ୍ୟମରେ ଯଖପୁରା ମୁଖ୍ୟ ରାସ୍ତାର ମରାମତି

WhatsApp Image 2026-07-20 at 5.09.36 PM

ଯଖପୁରା, ୧୯/୦୭: ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିଥିବା ଯଖପୁରାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାର ଦୟନୀୟ ଅବସ୍ଥା ଶେଷରେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଥିଲା। ବର୍ଷା ଯୋଗୁଁ ରାସ୍ତା ଉପରେ ପ୍ରାୟ ୧୦ ଇଞ୍ଚ ପର୍ଯ୍ୟନ୍ତ ବାଲି, ମାଟି ଓ କାଦୁଅ ଜମି ରହୁଥିବାରୁ ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ିଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଯଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣ ଜ୍ୟୋତି ସାମଲ ଓ ସ୍ଥାନୀୟ ସାମ୍ବାଦିକ ପଦ୍ମନାଭ ପହି ମିଳିତ ଭାବେ ରାସ୍ତାର ଜରୁରୀକାଳୀନ ମରାମତି କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରଶଂସା ସାଉଁଟିଛନ୍ତି।
ଏହି ରାସ୍ତା ଉପରେ କେବଳ ଯଖପୁରା ଓ ଆଖପାଖ ଗ୍ରାମର ଲୋକମାନେ ନୁହେଁ, ବରଂ ଜଟିଆ ଷ୍ଟିଲ, ଭିସିଆଇ କେମିକାଲ, ଇମ୍ଫା, ବିକେ ଷ୍ଟିଲ, ବିଭିନ୍ନ ଲେବର ହଷ୍ଟେଲର ଶ୍ରମିକ, କର୍ମଚାରୀ, ଅଧିକାରୀ ଏବଂ ଯଖପୁରାରେ ନିର୍ମିତ ଷ୍ଟାଡିୟମକୁ ଯାଉଥିବା ଶହ ଶହ ଲୋକ ପ୍ରତିଦିନ ନିର୍ଭର କରିଥାନ୍ତି। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳରେ ନାହିଁନଥିବା ଅସୁବିଧା ହେଉଥିଲା। ପ୍ରାୟ ପ୍ରତିଦିନ କେହି ନା କେହି ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିବା ଅଭିଯୋଗ ମଧ୍ୟ ଆସୁଥିଲା।
ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ଅନୁଭବ କରି ସରପଞ୍ଚ ଅରୁଣ ଜ୍ୟୋତି ସାମଲ ଓ ସାମ୍ବାଦିକ ପଦ୍ମନାଭ ପହି ନିଜ ଉଦ୍ୟମରେ ରାସ୍ତାରେ ଜମିଥିବା ବାଲି ଓ କାଦୁଅ ସଫା କରିବା ସହ ବଡ଼ ବଡ଼ ଗାଡ଼ଗୁଡ଼ିକୁ ଭରାଇ ଯାତାୟାତକୁ ସୁଗମ କରିଛନ୍ତି। ଏହି ପଦକ୍ଷେପ ଫଳରେ ରାସ୍ତାରେ ଚଳାଚଳ କରୁଥିବା ଲୋକମାନେ ବର୍ତ୍ତମାନ କିଛିଟା ଆଶ୍ୱସ୍ତି ପାଇଛନ୍ତି।
ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହା କେବଳ ଏକ ଅସ୍ଥାୟୀ ବ୍ୟବସ୍ଥା। ଏତେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଏହି ରାସ୍ତାର ସ୍ଥାୟୀ ମରାମତି ଏବଂ କଂକ୍ରିଟ୍ କିମ୍ବା ପିଚୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ନଚେତ ଆଗାମୀ ଦିନରେ ପୁଣି ଦୁର୍ଘଟଣା ବଢ଼ିବା ସହ ସାଧାରଣ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

About The Author