କଳିଙ୍ଗନଗରରେ ଭିସା ଗ୍ରୁପର ଜଳଛତ୍ର ଉଦଘାଟନ – ମୁଣ୍ଡ ଫଟା ଖରାରେ ମାନବତାର ଉଦାହରଣ
ତାରିଖ: ଏପ୍ରିଲ ୨୦, ୨୦୨୬(ଖବର ଦର୍ପଣ)
ଯାଜପୁର: ଗ୍ରୀଷ୍ମ ଋତୁର ତିବ୍ର ତାପ ଏବେ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶେଷକରି ଯାଜପୁର ଜିଲ୍ଲାର କଳିଙ୍ଗନଗର ଭଳି ଶିଳ୍ପାଞ୍ଚଳରେ ତାପମାତ୍ରା ଅଧିକ ରହିବା ଯୋଗୁଁ ଲୋକମାନେ ଦୈନନ୍ଦିନ ଜୀବନ ଚାଲାଇବାରେ ବହୁତ କଷ୍ଟ ସହିବାକୁ ପଡୁଛି। ଦିନ ମଧ୍ୟାହ୍ନରେ ରାସ୍ତାରେ ବାହାରିବା ମାତ୍ରେ ମୁଣ୍ଡ ଫଟା ଖରାର ତାପ ଲୋକଙ୍କୁ ଆଉଟୁ ପାଉଟୁ କରୁଛି। ଏପରି ସମୟରେ ଜଳ ହେଉଛି ଜୀବନର ପ୍ରମୁଖ ଆଧାର ଓ ତାପରୁ ରକ୍ଷା ପାଇବାର ଏକମାତ୍ର ଉପାୟ।
ଏହି ପରିସ୍ଥିତିକୁ ନଜରରେ ରଖି ଭିସା ଗ୍ରୁପ ପକ୍ଷରୁ ଦାନଗଦି ବ୍ଲକ ସମ୍ମୁଖରେ ଓ ମିଲେଟାରି ଛକରେ ଜଳଛତ୍ର ଉଦଘାଟନ କରାଯାଇଛି। ଏହି ଜଳଛତ୍ରରେ ଶିତଳ ପାଣି, ଓଆରଏସ୍ (ORS) ଓ ଅନ୍ୟାନ୍ୟ ପାନୀୟ ବ୍ୟବସ୍ଥା କରାଯାଇଥିବାରୁ ରାସ୍ତା ଚାଲୁଥିବା ଲୋକ, ଶ୍ରମିକ ଓ ଯାତ୍ରୀମାନେ ବହୁତ ଲାଭାନ୍ବିତ ହେଉଛନ୍ତି। ଏହା ଦ୍ୱାରା ଲୋକମାନେ ତିବ୍ର ତାପରୁ କିଛି ମାତ୍ରାରେ ରାହାତ ପାଇପାରୁଛନ୍ତି।
ସରକାରଙ୍କ ପକ୍ଷରୁ ଗ୍ରୀଷ୍ମକାଳରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ବିଭିନ୍ନ ସଂଗଠନ ଓ ବେସରକାରୀ ସଂସ୍ଥାମାନେ ମଧ୍ୟ ସମାଜସେବାରେ ଆଗକୁ ଆସୁଛନ୍ତି। ଏହି ପର୍ଯ୍ୟାୟରେ ଭିସା ଗ୍ରୁପର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ମାନବତାର ଉଦାହରଣ ଭାବେ ବର୍ଣ୍ଣନା କରି ବହୁତ ପ୍ରଶଂସା କରିଛନ୍ତି।
ଉଦଘାଟନୀ ଅବସରରେ ଦାନଗଦି ବିଡିଓ ପ୍ରଦୀପ କୁମାର ସେଠୀ, ସୁକିନ୍ଦା ବିଧାୟକ ଓ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ରାୟ, ସମାଜସେବୀ ଓ ବିଜେପି ଦଳର ବରିଷ୍ଠ ନେତା ସୁଧାଂଶୁ ଭଞ୍ଜ, ଦାନଗଦି ଫାଣ୍ଡି ଅଧିକାରୀ ଅମୁଲ୍ୟ ମିଶ୍ର ଓ ଅନ୍ୟାନ୍ୟ ବ୍ଲକ ସ୍ତରର ପଦାଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ଏପରି ସେବାମୂଳକ କାର୍ଯ୍ୟକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଏଭଳି ପଦକ୍ଷେପ ଆହୁରି ବଢିବାକୁ ଆଶା ବ୍ୟକ୍ତ କରିଥିଲେ।
ସାଧାରଣ ଲୋକଙ୍କ କହିବା ଅନୁଯାୟୀ, ଏପରି ଜଳଛତ୍ର ଗ୍ରୀଷ୍ମ ଋତୁରେ ଜୀବନଦାୟୀ ଭୂମିକା ନିଭାଉଛି। ବିଶେଷକରି ଶ୍ରମିକ, ଡ୍ରାଇଭର ଓ ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହା ବଡ଼ ସହାୟତା ସୃଷ୍ଟି କରୁଛି। ତେଣୁ ଆଗାମୀ ଦିନରେ ସରକାର ଓ ବେସରକାରୀ ସଂସ୍ଥାମାନେ ଏଭଳି ସେବାକୁ ଆହୁରି ବ୍ୟାପକ କରିବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଉଛି।
