ଆଇସିସି ମହିଳା ଟି୨୦ ବିଶ୍ବକପର ଦଶମ ସଂସ୍କରଣ-୨୦୨୬ ରବିବାର ଗ୍ରୁପ-ଏର ମ୍ୟାଚରେ ଭାରତ-ପାକିସ୍ତାନକୁ ଭେଟିବ

WhatsApp Image 2026-06-14 at 1.52.34 PM

ବର୍ମିଂହାମ: ଆଇସିସି ମହିଳା ଟି୨୦ ବିଶ୍ବକପର ଦଶମ ସଂସ୍କରଣ-୨୦୨୬ ରବିବାର ଗ୍ରୁପ-ଏର ମ୍ୟାଚରେ ଭାରତ-ପାକିସ୍ତାନକୁ ଭେଟିବ। ଉକ୍ତ ମ୍ୟାଚ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ କେବେହେଲେ ଟ୍ବେଣ୍ଟି୨୦ ବିଶ୍ବକପ ଜିତିନାହାନ୍ତି। ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ଟି୨୦ ବିଶ୍ବକପ ଟ୍ରଫି ଏବେ ବି ସ୍ବପ୍ନ । ଉକ୍ତ ସ୍ବପ୍ନକୁ ପୂରଣ କରିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ବିଶ୍ବକପ ଭଳି ବଡ଼ ପ୍ରତିଯୋଗିତାରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ସୃଷ୍ଟି ହୋଇଛି। ଭାରତ ହରମନପ୍ରୀତ କୌରଙ୍କ ନେତୃତ୍ବରେ ଖେଳିବ। ସ୍ମୃତି ମାନ୍ଧାନା,ୱିକେଟରକ୍ଷକ ବ୍ୟାଟର ୟାସ୍ତିକା ଭାଟିଆ,ଶେଫାଳି ବର୍ମା,ଜେମିମ୍ମା ରଡ୍ରିଗ୍ବେଜ, ରିଚା ଘୋଷଙ୍କ ସହ ହରମନପ୍ରୀତଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରିବ । ବିଶେଷ କରି ହରମନପ୍ରୀତ, ସ୍ମୃତି ଓ ଶେଫାଳିଙ୍କ ପ୍ରଦର୍ଶନ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଦୀପ୍ତି ଶର୍ମା ଓ ଶ୍ରୀୟଙ୍କା ପାଟିଲ ଅଲରାଉଣ୍ଡର ଦାୟିତ୍ବ ତୁଲାଇବେ। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ଅରୁନ୍ଧତୀ ରେଡ୍ଡିଙ୍କ ସମେତ ଶ୍ରୀ ଚରଣି,ରାଧା ଯାଦବ, କ୍ରାନ୍ତି ଗୌଡ଼ା ଓ ନନ୍ଦିନୀ ଶର୍ମା ପ୍ରମୁଖ ରହିଛନ୍ତି। ଉଭୟ କ୍ଷେତ୍ରରେ ଦଳ ଭଲ ରହିଛି। ପାକିସ୍ତାନକୁ ହରାଇ ଦଳ ବିଜୟ ଅଭିଯାନ ଲକ୍ଷ୍ୟ ରଖିଛି। ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତର ପ୍ରଦର୍ଶନକୁ ଦେଖିଲେ ଦଳ ୨୦୨୦ରେ ଥରେ ମାତ୍ର ଫାଇନାଲ ଖେଳି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା। ୨୦୨୫ ମହିଳା ଦିନିକିଆ ବିଶ୍ବକପରେ ଭାରତ ଚମ୍ପିଆନ ହେବା ସହ ପ୍ରଥମ ଥର ଟ୍ରଫି ଜିତିଥିଲା। ଟ୍ବେଣ୍ଟି୨୦ ବିଶ୍ବକପରେ ଦଳ ଉକ୍ତ ସଫଳତାକୁ ଦୋହରାଇବା ନେଇ ନିଶ୍ଚିତ ପ୍ରୟାସ କରିବ।

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ପୂର୍ବରୁ ଭାରତ ଅଭ୍ୟାସ ନେଇ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିଥିଲା। ଯାହା ବିଶ୍ବକପରେ ସହାୟକ ହେବା ନେଇ ଆଶା କରାଯାଉଛି। ସେହିପରି ପାକିସ୍ତାନ ଫତିମା ସାନାଙ୍କ ନେତୃତ୍ବରେ ଖେଳିବ। ଇରାମ ଜାଭେଦ, ଆୟଶା ଜାଫର, ମୁନେବା ଅଲ୍ଲୀ,ନାତାଲିଆ ପରଭେଜଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରିବ। ସାଦିଆ ଇକ୍‌ବାଲ, ତସ୍ମିନା ରୁବାବ ଓ ତୁବା ହାସନଙ୍କ ଭଳି ବୋଲର ଦଳ ନିକଟରେ ରହିଛନ୍ତି। ଦୁଇ ଦଳ ମହିଳା ଟ୍ବେଣ୍ଟି୨୦ରେ ୧୬ଥର ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୧୩ଟି ଓ ପାକିସ୍ତାନ ୩ଟି ମ୍ୟାଚ​‌େ​‌ର ବିଜୟୀ ହୋଇଛି। ଶେଷ ୫ଟି ଟ୍ବେଣ୍ଟି୨୦ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ୪ଟି ଓ ପାକିସ୍ତାନ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ପାକିସ୍ତାନ ବିପକ୍ଷରେ ଭାରତ ଫେବରିଟ୍‌ ଥିଲେ ମଧ୍ୟ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଛି।

About The Author