ଆବାସିକ ଘରେ ବ୍ୟବସାୟ ଚଳାଇଥିବା କୋଠାକୁ ନେଇ ଘଣ୍ଟାଚକଟା ଆରମ୍ଭ
ଭୁବନେଶ୍ବର: ଆବାସିକ ଘରେ ବ୍ୟବସାୟ ଚଳାଇଥିବା କୋଠାକୁ ନେଇ ଘଣ୍ଟାଚକଟା ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ଗତ ଶୁଣାଣିରେ ସବୁ ରାଜ୍ୟର ରାଜଧାନୀରେ ଏଭଳି କୋଠା ସବୁକୁ ତତ୍କାଳ ସିଲ୍ କରିବା ସହ ପାଣି, ବିଜୁଳି ଆଦି ସଂଯୋଗ ବିଚ୍ଛିନ୍ନ କରିବାକୁ ମହାନଗର ନିଗମକୁ ଆଦେଶ ଦେଇଥିଲେ। କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସବିଶେଷ ରିପୋର୍ଟ ସତ୍ୟପାଠରେ ଜଣାଇବାକୁ କହିଥିଲେ। ବିଏମ୍ସି ଏ ଉପରେ ୪୮୨ ପୃଷ୍ଠାର ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛି। ଆବାସିକ କୋଠାରେ ବ୍ୟବସାୟ ଚାଲିଥିବା ଏଭଳି ୪୬୩୨ଟି କୋଠାକୁ ଚିହ୍ନଟ କରିଥିବା ଓ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିଥିବା ସୁପ୍ରିମକୋର୍ଟଙ୍କୁ ଦର୍ଶାଇଛି। କିନ୍ତୁ ଏହି ସତ୍ୟପାଠରେ ଗୁରୁଚଣ୍ଡାଳ ତ୍ରୁଟି ଦେଖିବାକୁ ମିଳିଛି। ଏଥିରେ ବଡ଼ ବଡ଼ ଜଣାଶୁଣା ଡାକ୍ତରଖାନା ସହ ସରକାରୀ ଓ ବେସରକାରୀ ମାର୍କେଟ୍ କମ୍ପ୍ଲେକ୍ସ ନାମ ରହିଛି। ଏମାନେ ଆବାସିକ କୋଠା ଅନୁମତି ନେଇ ବ୍ୟବସାୟ ଚଳାଇଥିବା ଦର୍ଶାଯାଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଆରମ୍ଭ ହୋଇଛି।
