କାଳବୈଶାଖୀ ତାଣ୍ଡବ ବିଦ୍ୟୁତ୍‌ ସେବାକୁ ଗୁରୁତର ପ୍ରଭାବିତ କରିଛି

WhatsApp Image 2026-06-07 at 8.50.53 AM

ଭୁବନେଶ୍ୱର: କାଳବୈଶାଖୀ ତାଣ୍ଡବ ଆଜି ବିଦ୍ୟୁତ୍‌ ସେବାକୁ ଗୁରୁତର ପ୍ରଭାବିତ କରିଛି। ପବନ ପ୍ରହାରରେ ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ବିଜୁଳି ଖୁଣ୍ଟି ଉପୁଡ଼ିଛି। ଗଛ ପଡ଼ି ତାର ଛିଣ୍ଡିଛି। ଏଥିପାଇଁ ଆଜି ଅଧା ରାଜଧାନୀବାସିନ୍ଦା ଅନ୍ଧାରରେ ରାତି କାଟିଛନ୍ତି। କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲେ ବି ଗରମ ଓ ଗୁଳୁଗୁଳି କମି ନଥିବାରୁ ରାତିରେ ଲୋକେ ଘରେ ରହି ପାରିନାହାନ୍ତି। ବାହାରେ ପଇଁତରା ମାରିଛନ୍ତି। ରାତିସାରା ଅନିଦ୍ରା ରହିଛନ୍ତି।

ଅପରାହ୍ଣରେ କାଳବୈଶାଖୀ ଆରମ୍ଭରୁ ଆଜି ବିଦ୍ୟୁତ୍‌ ବିଭାଗ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ ରଖିଥିଲା। ଏଣୁ ଆଜି ଅପରାହ୍ଣ ପ୍ରାୟ ୩ଟାରୁ ସାରା ରାଜଧାନୀ ବିନା ବିଜୁଳିରେ ରହିଥିଲା। ଦୁର୍ବଳ ଭିତ୍ତିଭୂମି କାରଣରୁ ପବନ ବଢ଼ିବା ପରେ ପରେ ରାଜଧାନୀର ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ି ପଡ଼ିଥିଲା। ୟୁନିଟ୍‌-୮, ୟୁନିଟ୍‌-୯, କଳିଙ୍ଗନଗର ଅଞ୍ଚଳରେ ଅନେକ ସ୍ଥାନରେ ଖୁଣ୍ଟି ପବନରେ ଉପୁଡ଼ି ପଡ଼ିଥିବା ବେଳେ କେତେକ ସ୍ଥାନରେ ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ଏହା ବିଦ୍ୟୁତ୍‌ ସରବରାହକୁ ପ୍ରଭାବିତ କରିଥିଲା। ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟି ଓ ତାର ସ୍ବାଭାବିକ ଥିଲା, ସେଠାରେ ସନ୍ଧ୍ୟା ସାଢ଼େ ୫ଟାରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିଲା। କିନ୍ତୁ ଯେଉଁ ଅଞ୍ଚଳରେ ଖୁଣ୍ଟ ଓ ତାର ପ୍ରଭାବିତ ହୋଇଛି, ସେଠି ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ବିଜୁଳି ସଂଯୋଗ ଦିଆଯାଇପାରିନି। ଅଧା ରାଜଧାନୀବାସୀ ଏହି ଦୁର୍ଦ୍ଦଶା ଭୋଗିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବି ଦେଖାଦେଇଛି। ବିଭିନ୍ନ ବିଦ୍ୟୁତ୍‌ ସେକ୍ସନ୍‌ରେ ଲୋକେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ସେପଟେ ସିଧାସଳଖ ଓ ସୋସିଆଲ୍‌ ମିଡିଆରେ ବି ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହେବା ନେଇ ମାଳ ମାଳ ଅଭିଯୋଗ ବିଦ୍ୟୁତ୍‌ ବିଭାଗ ପାଖରେ ପହଞ୍ଚିଛି।

About The Author