September 10, 2026

ପ୍ରଥମ ପ୍ରଚେଷ୍ଟାରେ NEETରେ ଚମକିଲେ ମୁକ୍ତେଶ୍ୱର

WhatsApp Image 2026-07-20 at 5.19.15 PM

ଅମରପାଲି: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା (ସୌରନଗର) ଗ୍ରାମର ମେଧାବୀ ଛାତ୍ର ମୁକ୍ତେଶ୍ୱର ନନ୍ଦ ଚଳିତ ବର୍ଷର ଏନ୍‌ଇଇଟି (NEET-UG) ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ୭୨୦ ନମ୍ବରରୁ ୬୪୨ ନମ୍ବର ହାସଲ କରିବା ସହ ସର୍ବଭାରତୀୟ ସ୍ତରରେ ୨୦୯୭ ରାଙ୍କ ଅଧିକାର କରି ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ମୁକ୍ତେଶ୍ୱରଙ୍କ ପିତା ମହେଶ୍ୱର ନନ୍ଦ ଘରୋଇ ଭାବେ କିରାଣି କାମ କରୁଥିବା ବେଳେ ମାତା ରୀତାରାଣୀ ନନ୍ଦ ଜଣେ ଗୃହିଣୀ। ସାଧାରଣ ପରିବାରରୁ ଆସିଥିବା ମୁକ୍ତେଶ୍ୱର କଠିନ ପରିଶ୍ରମ ଓ ଦୃଢ଼ ଲକ୍ଷ୍ୟବୋଧ ବଳରେ ଏହି ସଫଳତା ହାସଲ କରିଛନ୍ତି। ଏଥିପାଇଁ ସେ ପ୍ରତିଦିନ ୧୪ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ। ମନୋନିବେଶ କରି ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳେ ବୋଲି ସେ କହିଛନ୍ତି।
ପିଲାଦିନରୁ ମେଧାବୀ ଥିବା ମୁକ୍ତେଶ୍ୱର ବୀରମହାରାଜପୁରସ୍ଥିତ ଅରବିନ୍ଦ ଶିକ୍ଷା ଗବେଷଣା କେନ୍ଦ୍ରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ବୀରମହାରାଜପୁର ରଥପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ୯୭ ପ୍ରତିଶତ ଏବଂ ଯୁକ୍ତ ଦୁଇ ବିଜ୍ଞାନରେ ୯୩.୮ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ।
ଉଲ୍ଲେଖନୀୟ ଯେ, ପ୍ରଥମ ପ୍ରଚେଷ୍ଟାରେ ଏନ୍‌ଇଇଟିରେ ସଫଳତା ହାସଲ କରି ସେ ଅଞ୍ଚଳର ଛାତ୍ରୀଛାତ୍ରଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ନିଜର ଏହି ସଫଳତାର ଶ୍ରେୟ ସେ ତାଙ୍କ ଶିକ୍ଷକ, ମାତାପିତା, ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିବା ବେଳେ ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

About The Author