ଚଳିତ ବର୍ଷ ମେ’ ମାସରେ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସରେ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି। ଅଟୋମୋବାଇଲ୍ ଡିଲର ମହାସଂଘ ତରଫରୁ ଜାରି କରାଯାଇ ଥିବା ତଥ୍ୟ ଅନୁସାରେ ଏହି ମାସରେ ୨୫,୩୧,୦୬୭ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି। ଏହା ଗତବର୍ଷ ମେ’ରେ ବିକ୍ରି ହୋଇଥିବା ୨୩,୧୦,୪୫୧ଟି ଗାଡ଼ି ତୁଳନାରେ ୯.୫୫ ପ୍ରତିଶତ ଅଧିକ। ଏଫ୍ଏଡିଏର ସଭାପତି ସି ଏସ୍ ବିଘ୍ନେଶ୍ବର କହିଛନ୍ତି ଯେ ଅତ୍ୟଧିକ ଗରମ, ଇନ୍ଧନ ମୂଲ୍ୟରେ ବୃଦ୍ଧି ଓ ମଧ୍ୟପ୍ରାଚ୍ୟ ଯୁଦ୍ଧ ସତ୍ତ୍ବେ ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ଅଭିବୃଦ୍ଧି ହାସଲ କରିଛି। ଚଳିତ ମେ’ରେ ତିିନିଚକିଆ, କାର୍ ଓ ଟ୍ରାକ୍ଟର ବିକ୍ରିରେ ସର୍ବକାଳୀନ ସର୍ବାଧିକ ବୃଦ୍ଧି ଘଟିଥିବା ସେ କହିଛନ୍ତି। ଚଳିତ ବର୍ଷ ମେ ମାସରେ କାର୍ ବିକ୍ରି ୨୩.୨୫ ପ୍ରତିଶତ ବୃଦ୍ଧି ପାଇ ୪,୦୨,୫୯୧ର ପହଞ୍ଚିଛି। ଗତବର୍ଷ ମେ’ ମାସରେ ୩,୨୬,୬୫୬ଟି କାର୍ ବିକ୍ରି ହୋଇଥିଲା। ସେହିପରି ଦୁଇଚକିଆ ଯାନ ବିକ୍ରି ୭.୫୪ ପ୍ରତିଶତ ବୃଦ୍ଧି ପାଇ ୧୮,୪୪,୯୪୭ ହୋଇଛି। ପୂର୍ବବର୍ଷ ମେ’ ମାସରେ ୧୭,୧୫,୫୮୧ଟି ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ଚଳିତ ବର୍ଷ ମେ’ରେ ତିନିଚକିଆ ଗାଡ଼ି ବିକ୍ରି ୩.୫୬ ପ୍ରତିଶତ ବୃଦ୍ଧି ପାଇ ୧,୧୧,୫୨୬ ହୋଇଛି ଯାହା ପୂର୍ବବର୍ଷ ୧.୦୭,୬୮୮ ଥିଲା। ବାଣିଜ୍ୟିକ ଯାନ ବିକ୍ରି ୫.୨୯ ପ୍ରତିଶତ ବୃଦ୍ଧି ଘଟି ୮୩,୮୨୩ ହୋଇଛି। ଯାହାର ବିକ୍ରି ଗତବର୍ଷ ମେ’ ମାସରେ ୭୯,୬୧୪ ଥିଲା। ଶ୍ରୀ ବିଗ୍ନେଶ୍ବର କହିଛନ୍ତି ଯେ ଆଗକୁ ବିବାହ ଋତୁ ଆସୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ଅପରିବର୍ତ୍ତିତ ରଖିଥିବାରୁ ଆଗକୁ ଗାଡ଼ି ବିକ୍ରି ବଢ଼ିବା ଆଶା କରାଯାଉଛି।
