କଳିଙ୍ଗନଗରରେ ପ୍ରସ୍ତାବିତ କ୍ରୋମାଇଟ କାରଖାନାକୁ ବିରୋଧ: ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ ଭେଟିଲେ ପୀଡ଼ିତା ମହିଳା ଓ ଗ୍ରାମବାସୀ
କଳିଙ୍ଗନଗର, ତା.୨୧/୫ : ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ପାଟବାଲି ମୌଜାରେ ପ୍ରସ୍ତାବିତ ‘ବେଦାନ୍ତ କ୍ରୋମ ବେନିଫିକେସନ ପ୍ଲାଣ୍ଟ’କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଏହି କାରଖାନା ପ୍ରତିଷ୍ଠା ହେଲେ ଆଖପାଖର ପ୍ରାୟ ୧୬ଟି ଗ୍ରାମର ଜନଜୀବନ ଓ ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ଆଶଙ୍କା କରି ଆଜି ପୀଡ଼ିତା ମହିଳା ଓ ଗ୍ରାମବାସୀଙ୍କର ଏକ ପ୍ରତିନିଧି ଦଳ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସରକାରୀ ସ୍ତରରେ ଏହି ପ୍ରକଳ୍ପକୁ ରୋକିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସେମାନେ ସହଯୋଗ ଲୋଡ଼ିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ କାରଖାନାରୁ ନିର୍ଗତ ହେବାକୁ ଥିବା ବର୍ଜ୍ୟବସ୍ତୁ ଓ ଦୂଷିତ ଜଳରେ ଅତି ମାରାତ୍ମକ ‘ହେକ୍ସାଭାଲେଣ୍ଟ କ୍ରୋମିୟମ’ ରହିବ। ଏହି କ୍ରୋମିୟମ ମିଶ୍ରିତ ଜଳ ଗଣ୍ଡାନାଳରେ ମିଶିବା ଦ୍ୱାରା ଗଣ୍ଡାନାଲ ଓ ଭୂତଳ ଜଳ ସମ୍ପୂର୍ଣ୍ଣ ବିଷାକ୍ତ ହୋଇଯିବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ କର୍କଟ (Cancer) ଭଳି ମାରାତ୍ମକ ରୋଗ ବ୍ୟାପିବା ସହ କିଡନୀ ଓ ଶ୍ୱାସକ୍ରିୟା ଜନିତ ସମସ୍ୟା ଅହେତୁକ ଭାବେ ବୃଦ୍ଧି ପାଇବ।
ପ୍ରସ୍ତାବିତ ପ୍ଲାଣ୍ଟ ନିକଟରେ ଅନେକ ଶିକ୍ଷାନୁଷ୍ଠାନ, ଉଚ୍ଚ ବିଦ୍ୟାଳୟ, ଦେବାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବାରୁ କୋମଳମତି ଛାତ୍ରଛାତ୍ରୀ ଓ ରୋଗୀମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ। କେବଳ ସେତିକି ନୁହେଁ, ଗଣ୍ଡାନାଳର ଜଳ ପ୍ରଦୂଷିତ ହେଲେ, ଜଳ ଜୀବ, ଅଞ୍ଚଳ ବାସୀ, ଯିବ ଜନ୍ତୁ,ଗୋଧନ ମଡ଼କ ହେବା ସହ ଏହାର ପାଖାପାଖି ଥିବା ଉର୍ବର ଚାଷଜମି ସମ୍ପୂର୍ଣ୍ଣ ବନ୍ଧ୍ୟା ଓ ଅନୁପଯୋଗୀ ହୋଇପଡ଼ିବ, ଯାହା ସ୍ଥାନୀୟ ଚାଷୀଙ୍କ ଜୀବିକା ବିପନ୍ନ କରିବ।ଅନ୍ୟପଟେ, ବର୍ତ୍ତମାନ ଏହି ଅଞ୍ଚଳରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଥିବା ବେଳେ କାରଖାନା ନିଜର ଶୋଧନ କାର୍ଯ୍ୟ ପାଇଁ ବ୍ୟାପକ ପରିମାଣର ଭୂତଳ ଜଳ ବ୍ୟବହାର କରିବାକୁ ଯୋଜନା କରୁଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ‘ଡିପ୍ ବୋରୱେଲ’ (ଗଭୀର ନଳକୂପ) ଖନନ କରାଗଲେ ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ଉତ୍ସଗୁଡ଼ିକ ସମ୍ପୂର୍ଣ୍ଣ ଶୁଖିଯିବ ଏବଂ ଜଳସ୍ତର ବହୁ ତଳକୁ ଖସିଯିବ ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଛି।ଏହି ପ୍ରସ୍ତାବିତ କାରଖାନାକୁ ନେଇ କରାଯାଉଥିବା ଜନଶୁଣାଣିକୁ ସ୍ଥାନୀୟ ଲୋକେ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି। ଯଦି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ଉପେକ୍ଷା କରି ପ୍ରଶାସନ ଏହି ପ୍ରକଳ୍ପକୁ ଆଗକୁ ବଢ଼ାଏ, ତେବେ ଆଗାମୀ ଦିନରେ ୧୬ ଗୋଟି ଗ୍ରାମର ଜନସାଧାରଣ ବ୍ୟାପକ ଗଣତାନ୍ତ୍ରିକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ଶରତ ରାଉତ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ସ୍ଥାନୀୟ ଲୋକଙ୍କ ହକ ପାଇଁ ସରକାରୀ ସ୍ତରରେ ସ୍ୱର ଉତ୍ତୋଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
