September 11, 2026

ଲୁଟ୍‌ ମାମଲାରେ ୫ ମାସ ଫେରାର ଥିବା ଅଭିଯୁକ୍ତ ଗିରଫ: କୋର୍ଟ ଚାଲାଣ

WhatsApp Image 2026-07-24 at 9.54.30 PM

​କଳିଙ୍ଗନଗର, ୨୪/୭ (ନି.ପ୍ର): ଯଖପୁରା ଥାନା ଅଞ୍ଚଳରେ ହୋଇଥିବା ଭୁଜାଲି ଦେଖାଇ ଲୁଟ୍‌ ଓ ଆକ୍ରମଣ ମାମଲାରେ ପୋଲିସକୁ ଦୀର୍ଘ ୫ ମାସ ଧରି ଚକ୍‌ମା ଦେଇ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବାରେ ଯଖପୁରା ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବାବୁଲି ମଳିକଙ୍କ ପୁଅ ବିକ୍ରମ ମଳିକ। ପୋଲିସ ତାଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି (ମାମଲା ନଂ- ୩୫/୨୦୨୬)।ଘଟଣାରୁ ପ୍ରକାଶ ଯେ, ଗତ ଫେବୃଆରୀ ୨୨ ତାରିଖ (୨୨/୦୨/୨୦୨୬) ଦିନ ଯଖପୁରା ଅଞ୍ଚଳର ରାଜକିଶୋର ସାମଲଙ୍କୁ ତେଲିବାହାଳୀସ୍ଥିତ ଏମ୍‌ଆଇପିଏଲ୍‌ (MIPL) ହୋଟେଲ ଓ ଯଶୋଦା ପୋଖରୀ ମଧ୍ୟରେ ଅଭିଯୁକ୍ତ ବିକ୍ରମ ମଳିକ ଓ ତାଙ୍କ ସହଯୋଗୀ ଅଭିମନ୍ୟୁ ମହାକୁଡ଼ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେମାନେ ଭୁଜାଲି ଦେଖାଇ ରାଜକିଶୋରଙ୍କୁ ମାରପିଟ୍‌ କରିବା ସହ ତାଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ଓ ସୁନା ମୁଦି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।ଏ ନେଇ ରାଜକିଶୋର ଯଖପୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ପୋଲିସ ଘଟଣାରେ ଜଡ଼ିତ ଅଭିଯୁକ୍ତ ଅଭିମନ୍ୟୁ ମହାକୁଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଥିବା ବେଳେ ଘଟଣାସ୍ଥଳରୁ ବୁଲେଟ୍‌ ମୋଟରସାଇକେଲ୍‌, ଭୁଜାଲି ଓ ଲୁଟ୍‌ ହୋଇଥିବା ମୋବାଇଲ୍‌ ଜବତ କରାଯାଇଥିଲା।ଉକ୍ତ ଘଟଣା ଦିନଠାରୁ ଅଭିଯୁକ୍ତ ବିକ୍ରମ ମଳିକ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲେ। ତେବେ ଗତକାଲି (ଗୁରୁବାର) ସନ୍ଧ୍ୟା ପ୍ରାୟ ୫ଟିକା ସମୟରେ ବିକ୍ରମ ରାବଣା ବଜାରକୁ ଆସିଥିବା ନେଇ ଯଖପୁରା ଥାନା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ପାଇବା କ୍ଷଣି ଯଖପୁରା ଥାନା ଏସ୍‌ଆଇ (SI) ଚିତ୍ତରଞ୍ଜନ ବଳବନ୍ତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ତୁରନ୍ତ ଚଢ଼ାଉ କରି ଅଭିଯୁକ୍ତ ବିକ୍ରମଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଆଜି ତାଙ୍କୁ ଆଇନଗତ ପ୍ରକ୍ରିୟା ଶେଷ ପରେ କୋର୍ଟ ଚାଲାଣ କରାଯାଇଛି।

About The Author