ଟିଏମ୍ସିରେ ସାଂସଦଙ୍କ ମଧ୍ୟରେ ବିଭାଜନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶାସନ କ୍ଷମତାରୁ ହଟିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଦିନକୁ ଦିନ ଅସନ୍ତୋଷ ତେଜିବାରେ ଲାଗିଛି। ଦଳର ବିଧାୟକଙ୍କ ମଧ୍ୟରେ ବିଭାଜନ ହେବା ପରେ ଏବେ ସାଂସଦମାନଙ୍କ ମଧ୍ୟରେ ବିଭାଜନ ହେବାକୁ ଯାଉଛି। ଦଳର ୨୮ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ଜଣ ଦଳ ଛାଡିବାକୁ ଯୋଜନା କରିଛନ୍ତି। ଏପରି କି ଟିଏମସିର ୨୦ଜଣ ସାଂସଦ ସୋମବାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଶାସକ ଏନଡିଏରେ ସାମିଲ ହେବାକୁ ନିବେଦନ କରିଛନ୍ତି। ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନ ଫଳରୁ ସ୍ପଷ୍ଟ ହୋଇଛି ଯେ ସେମାନଙ୍କର ଅସ୍ତିତ୍ବ ଏବେ ସଂକଟରେ ପଡିଛି। ତେଣୁ ସେମାନେ ଏନଡିଏ ସହିତ ଯୋଡି ହେବାକୁ ଚାହଁାନ୍ତି। ବିରୋଧୀ ‘ଇଣ୍ଡି’ ମେଣ୍ଟ ବୈଠକରେ ଯୋଗଦେବାକୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦିଲ୍ଲୀରେ ଉପସ୍ଥିତ ଥିବାବେଳେ ଦଳର ସାଂସଦଙ୍କ ମଧ୍ୟରେ ଏପରି ବିଦ୍ରୋହ ପ୍ରକାଶ ପାଇଛି। ଏନଡିଏରେ ମିଶିବା ଲାଗି ବାଚସ୍ପତିଙ୍କୁ ଚିଠି ଲେଖିବା ପୂର୍ବରୁ ଟିଏମସିର ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଘରେ ଏକାଠି ହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ ସେମାନେ ଏକଜୁଟ୍ ହୋଇଥିଲେ। ଟିଏମସିରେ ଏବେ ୨୮ଜଣ ସାଂସଦ ଥିବାରୁ ୨୦ ଜଣ ସାଂସଦ ଯଦି ଦଳରୁ ଅଲଗା ହୁଅନ୍ତ ତେବେ ସେମାନଙ୍କ ବିରୋଧରେ ଦଳ ବଦଳ ନିୟମ ଲାଗୁ ହେବ ନାହିଁ। ଫଳରେ ସେମାନେ ନିଜର ସଦସ୍ୟତା ହରାଇବେ ନାହିଁ। ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ ଏକଜୁଟ୍ ହୋଇଥିବା ଟିଏମସି ସାଂସଦମାନେ ହେଲେ କୀର୍ତ୍ତି ଆଜାଦ, କାକୋଲି ଘୋଷ, ଶତାବ୍ଦୀ ରାୟ, ଅବୁ ତାହେର ଖାଁ, ଅରୁପ ଚକ୍ରବର୍ତ୍ତୀ, ଖଲିଲୁର୍ ରେହମାନ, ଶର୍ମିଳା ସରକାର, ରଚନା ବାନାର୍ଜୀ, ଅସିତ କୁମାର ମାଲ୍, ଜଗଦୀଶ ଚନ୍ଦ୍ର ବର୍ମା ବସୁନିଆ, କାଳୀପଦ ସୋରେନ, ପ୍ରସୂନ ବାନାର୍ଜୀ, ୟୁସୁଫ୍ ପଠାନ ଏବଂ ପାର୍ଥ ଭୌମିକ।
ଟିଏମସି ସାଂସଦଙ୍କ ମଧ୍ୟରେ ଏପରି ବିଭାଜନ ପୂର୍ବରୁ ପଶ୍ଚିମବଙ୍ଗରେ ଦଳର ବିଧାୟକଙ୍କ ମଧ୍ୟରେ ବିଭାଜନ ହୋଇସାରିଛି। ଟିଏମସିରୁ ବହିଷ୍କୃତ ହୋଇଥିବା ବିଧାୟକ ଋତବ୍ରତ ବାନାର୍ଜୀ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ପାଇଛନ୍ତି। ଋତବ୍ରତଙ୍କୁ ଟିଏମସିର ୫୮ ବିଧାୟକ ସମର୍ଥନ କରିଛନ୍ତି। ବିଧାୟକଙ୍କ ସମର୍ଥନ ପତ୍ର ଆଧାରରେ ଋତବ୍ରତଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ ବିରୋଧୀ ଦଳ ନେତା ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଟିଏମସି ବିରୋଧୀ ଦଳ ନେତା ଲାଗି ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ନାମ ସୁପାରିସ କରିଥିଲା। ମାତ୍ର ଚଟ୍ଟୋପାଧ୍ୟାୟଙ୍କୁ ଟିଏମସିର ବିରୋଧୀ ଗୋଷ୍ଠୀର ବିଧାୟକମାନେ ନାପସନ୍ଦ କରିଥିଲେ।
