୮ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼

WhatsApp Image 2026-07-11 at 8.39.11 PM

ଭୁବନେଶ୍ବର: ଦୀର୍ଘ ୮ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଏହାକୁ ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ବୋଲି କୁହାଯାଉଛି।ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ଓଡ଼ିଶାର ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଗତ ୮ ବର୍ଷର ଶୁଣାଣି ମଧ୍ୟରେ ଆଜିର ଶୁଣାଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା।

ଶୁଣାଣି ସମୟରେ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କୁ ସ୍ପଷ୍ଟ କରିଛନ୍ତି ଯେ,ଓଡ଼ିଶା ସହ ଆଲୋଚନା ମାଧ୍ୟମରେ ଏହି ଜଳ ବିବାଦର ସ୍ଥାୟୀ ସମାଧାନ କରିବାକୁ ସେମାନେ ଆଗ୍ରହୀ। ଏହା ପରେ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ଏହି ସହମତି ସମ୍ପର୍କରେ ଏକ ଲିଖିତ ପ୍ରତିଶ୍ରୁତି ଆଗାମୀ ଶୁଣାଣି ପୂର୍ବରୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ,ଚଳିତ ଜୁଲାଇ ମାସରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପତ୍ର ବିନିମୟ ହୋଇଥିଲା। କେନ୍ଦ୍ରୀୟ ଜଳ ଆୟୋଗ (CWC)ର ମଧ୍ୟସ୍ଥତାରେ ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ କରିବା ପାଇଁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଛତିଶଗଡ଼ ସରକାର ସକାରାତ୍ମକ ଭାବେ ଗ୍ରହଣ କରି ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜଣାଇଛନ୍ତି।

About The Author